ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ମାନବିକତାର ଉଦାହରଣ : ଦୁର୍ଘଟଣାରେ ଆହତଙ୍କୁ ନିଜେ ହସ୍ପିଟାଲକୁ ପହଞ୍ଚାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କର ମାନବିକତା ଓ ସେବାଭାବର ଦୃଢ ପ୍ରମାଣ ଦେଖିବାକୁ ମିଳିଛି । ଆଗଲପୁରରେ ଆୟୋଜିତ ସେବାପକ୍ଷ କାର୍ଯ୍ୟକ୍ରମକୁ ଯିବା ରାସ୍ତାରେ, ବିଜେପୁର ବ୍ଲକର ଗୁଡିମୁଣ୍ଡା ଠାରେ ଏକ ଭୟାବହ ଦୁର୍ଘଟଣା ଘଟିବା ପରେ ସାଂସଦ ନିଜର ଗାଡ଼ି ଅଟକାଇ ଆହତଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ କଥା ଅନୁସାରେ, ରବିବାର ଦିନ ମଧ୍ୟାହ୍ନ ୧.୩୦ ପାଖାପାଖି ଚାରପାଲି ଗ୍ରାମର ଜଗଦମ୍ବା ପାଠୋଲେବର ପରିବାର ଏକ ଚାରିଚକିଆ ଯାନରେ ଯାଉଥିଲେ । ସେହି ସମୟରେ ଅନ୍ୟ ଗୋଟିଏ ଚାରିଚକିଆ ଜାନ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଗାଡ଼ିରେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ସେହି ରାସ୍ତାରେ ଯାଉଥିବା ବେଳେ ଦୃଶ୍ୟଟି ଦେଖି ଗାଡ଼ିରୁ ଓଲ୍ଲାଇଥିଲେ । ସାଂସଦ ନିଜେ ଆହତଙ୍କୁ ସାହାଯ୍ୟ କରିଥିଲେ ଓ ତାଙ୍କର ଗାଡ଼ିରେ ବସାଇ ବିଜେପୁର ହସ୍ପିଟାଲକୁ ପହଁଚାଇଥିଲେ । ଆହତଙ୍କର ଅବସ୍ଥା ଗୁରୁତର ଥିବାରୁ, ସାଂସଦଙ୍କ ଉଦ୍ୟମରେ ତାଙ୍କୁ ସମୟରେ ଚିକିତ୍ସା ପାଇବା ସୁନିଶ୍ଚିତ ହୋଇଥିଲା । ପରେ ଡାକ୍ତରମାନଙ୍କ ପରାମର୍ଶରେ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ସାଂସଦ ପ୍ରଦୀପ ପୁରୋହିତ କେବଳ ହସ୍ପିଟାଲକୁ ପହଁଚାଇ ଛାଡିନଥିଲେ, ସେ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆଙ୍କୁ ଫୋନ୍ କରିଥିଲେ ଓ ହସ୍ପିଟାଲରେ ଯୋଗଦେବା ପାଇଁ କହିଥିଲେ । ଲୋକମାନଙ୍କ ଆହତ ଅବସ୍ଥା ପ୍ରତି ସାଂସଦଙ୍କର ଏହି ଚିନ୍ତା ଓ ପ୍ରୟାସକୁ ସ୍ଥାନୀୟ ଲୋକମାନେ ଖୁବ ସ୍ୱାଗତ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ସାଂସଦଙ୍କ ଏପରି ସ୍ୱୟଂସ୍ଫୁର୍ତ୍ତିକୁଳକ ମାନବିକତାମୂଳକ ପଦକ୍ଷେପ ସେମାନଙ୍କ ମନକୁ ଛୁଇଁଗଲା । “ନେତାମାନେ ସାଧାରଣତଃ ଦୁର୍ଘଟଣା ସ୍ଥଳକୁ ଦୂରରୁ ଦେଖି ଚାଲିଯାଆନ୍ତି, କିନ୍ତୁ ପ୍ରଦୀପ ପୁରୋହିତ ନିଜେ ଆଗକୁ ଆସି ଆହତଙ୍କୁ ଉଦ୍ଧାର କରିଥିଲେ । ଏହା ସତ୍ୟରେ ପ୍ରଶଂସାନୀୟ,” – ଏମିତି ପ୍ରତିକ୍ରିୟା ଦେଇଛନ୍ତି ସ୍ଥାନୀୟ ଲୋକେ । ସାଂସଦଙ୍କର ଏହି କାର୍ଯ୍ୟକଳାପ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ପ୍ରଭାବ ପକାଇଛି । ସୋସିଆଲ୍ ମିଡିଆରେ ମଧ୍ୟ ସେମାନଙ୍କର ମାନବିକତାର ପ୍ରଶଂସା ହେଉଛି ।

Leave A Reply

Your email address will not be published.