ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଆରସିସି ସୁରେନ୍ଦ୍ର ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡାର ବିକାଶ ବିନା ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ କଳ୍ପନା କରାଯାଇ ନପାରେ, ତେଣୁ ପାଠ ସହିତ କ୍ରୀଡା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ । ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ମଧୁସୂଦନ ପଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଓ ବବିତା ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୋଳାଫିଙ୍ଗା, ଡ଼ିସକସ ଥ୍ରୋ, ପୁଚି, ଦୌଡ଼ି ଟଣା, ମ୍ୟୁଜିକ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପିତାମାତା ଓ ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ସଭ୍ୟା ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।