om academy

ଚର୍ଚ୍ଚାରେ ଚିଠି : ତୁଷୁରାରେ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବା ସପକ୍ଷରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏନ୍‌ଏସି ଅଧ୍ୟକ୍ଷ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବେଶ୍‌ ଚର୍ଚ୍ଚାରେ ଗୋଟିଏ ଚିଠି । ମଦ ଦୋକାନ ଖୋଲାଯିବା ସପକ୍ଷରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ତୁଷୁରା ଏନ୍‌ଏସି ଅଧ୍ୟକ୍ଷ । ଲୋକଙ୍କ ଅସମ୍ଭାଳ ନିଶା ସେବନ ସାରା ସମାଜକୁ କଳୁଷିତ କରୁଥିବା ବେଳେ ଏଥିପାଇଁ ଯୁବସମାଜ ଆଜି ପଥଭ୍ରଷ୍ଟ ହେବାରେ ଲାଗିଛି । ଏଭଳି ସାଂଘାତିକ ସମୟରେ ଜଣେ ଉଚ୍ଚସ୍ତରୀୟ ଜନ ପ୍ରତିନିଧି ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବା ସପକ୍ଷରେ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ବିଷୟ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚିଠି ଏବେ ଭାଇରାଲ୍‌ ହେବାରେ ଲାଗିଛି । ‘ଆସନ୍ତୁ ସମସ୍ତେ ମିଳିମିଶି ସୁନ୍ଦର ତୁଷୁରା ଗଢ଼ିବା’ ନାରା ଦେଉଥିବା ଏନ୍‌ଏସି.ର ମୁଖ୍ୟ ଜନ ପ୍ରତିନିଧି ଯଦି ମଦ ଦୋକାନ ଖୋଲାଯିବା ସପକ୍ଷରେ ଅଛନ୍ତି, ତେବେ ସୁନ୍ଦର ତୁଷୁରା ଗଢ଼ିବା କେତେଦୂର ସମ୍ଭବପର, ତାହା ଏବେ ଚର୍ଚ୍ଚାରେ । ସୂଚନା ଅନୁସାରେ ଗତ ୨୪ ଅଗଷ୍ଟରେ ତୁଷୁରା ଏନ୍‌ଏସି ଅଧ୍ୟକ୍ଷ ନିଜ ଚିଠି ସଂଖ୍ୟା-୧୬୦୩ ଦ୍ୱାରା ଜିଲ୍ଲାପାଳଙ୍କୁ ଅବକାରୀ ଅଧିକ୍ଷକଙ୍କ ଜରିଆରେ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବାକୁ ଅନୁରୋଧ କରିଛନ୍ତି । ଚିଠିରେ ଉଲ୍ଲେଖ ହୋଇଛି ଯେ, ପତ୍ର ସଂଖ୍ୟା-୧୧୭୭ ଅନୁସାରେ ୧୭ ଅଗଷ୍ଟରେ ତୁଷୁରାରେ ଠିପି ଖୋଲା ବିଦେଶୀ ମଦ ଖୋଲାଯିବା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ଅଧ୍ୟକ୍ଷ ମହୋଦୟ ଏହା ଉଚିତ ପଦକ୍ଷେପ ବୋଲି ନିଜ ଚିଠିରେ ଦର୍ଶାଇଛନ୍ତି । ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ମଦ କିଣି ଲୋକେ ଏଣେତେଣେ ମଦ ପିଉଥିବା ବେଳେ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଗଲେ ଏସମସ୍ୟା ରହିବ ନାହିଁ ବୋଲି ଆଶା ବ୍ୟକ୍ତ କରିଛନ୍ତି । ରାସ୍ତାଘାଟରେ ଭଦ୍ର ଲୋକେ ଯିବା ଆସିବା ବେଳେ ଏଣେତେଣେ ମଦ ପିଉଥିବା ମଦୁଆମାନେ ଆଉ ସେମାନଙ୍କୁ ହଇରାଣ କରିପାରିବେ ନାହିଁ । ସେମାନେ ସୁରକ୍ଷିତ ଭାବେ ଯିବା ଆସିବା କରିପାରିବେ । ଏହି ଚିଠି ସଂପର୍କରେ ଅଧ୍ୟକ୍ଷଙ୍କ ମତାମତ ନେବାକୁ ଅନେକ ଥର ମୋବାଇଲ୍‌ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ୱେ ସେ କଲ୍‌ ରିସିଭ୍‌ ନକରିବାରୁ ମତାମତ ନିଆଯାଇ ପାରିନାହିଁ । ସୁରକ୍ଷିତ ସ୍ଥାନରେ ଆକଣ୍ଠ ମଦ ପିଇ ଯେତେବେଳେ ସ୍ଥାନୀୟ ମଦୁଆମାନେ ନିଜ ନିଜ ଘରକୁ ପହଂଚିବେ, ସେତେବେଳେ ତାଙ୍କ ପରିବାରର ଆର୍ଥିକ ଓ ସାମାଜିକ ଶୃଙ୍ଖଳା କେତେଦୂର ସୁରକ୍ଷିତ ରହିବ, ସେଦିଗରେ ଅଧ୍ୟକ୍ଷଙ୍କ ଦୃଷ୍ଟି ନଥିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି । ସ୍ଥାନୀୟ ଲୋକେ ଏବେ ପ୍ରଶ୍ନ କରୁଛନ୍ତି, ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଗଲେ ସରକାରଙ୍କୁ ଯଥେଷ୍ଟ ରାଜସ୍ୱ ମିଳିବା ସହ ମଦୁଆଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ ମିଳିଯିବ । ଏଥିରେ ସାଧାରଣ ଜନତାଙ୍କ ଲାଭ କ’ଣ ହେବ, ଯେଉଁମାନେ ମୂଲ୍ୟବାନ ଭୋଟ ଦେଇ ଅଧ୍ୟକ୍ଷଙ୍କୁ ଜନ ପ୍ରତିନିଧି ଭାବେ ନିର୍ବାଚିତ କରିଛନ୍ତି ?

Leave A Reply

Your email address will not be published.