ତୁଷୁରା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପାଇଁ ଗମନା ଗମନର ସୁଯୋଗ ଓ ସାମର୍ଥ୍ୟ ଉପରେ ଆଲୋଚନା ଅବସରରେ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ତୁଷୁରା ବିମାନ ବନ୍ଦର ଯୋଗଦାନ ଉପରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଉପ-ସଭାପତି ପ୍ରଶନ୍ନ ମିଶ୍ର ସୂଚନା ପ୍ରଦାନ କରିଥିଲେ ଯେ, ବିଜୁ କେବିକେ ଯୋଜନାରେ କଳାହାଣ୍ଡି ତଥା କୋରାପୁଟ ଜିଲ୍ଲା କ୍ରମଶଃ ବିକାଶ ଧାରାରେ ଆଗକୁ ଅଗ୍ରଗତି କରୁଥିବା ବେଳେ ଅଭିଭକ୍ତ ବଲାଙ୍ଗିର ଜିଲ୍ଲା ଅବହେଳାର ଶିକାର ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ପ୍ରାୟ ୬ ବର୍ଷ ବଲାଙ୍ଗିରର ତୁଷୁରା ଓ କଳାହାଣ୍ଡିର ଉତକେଲା ଏୟାରଷ୍ଟ୍ରିଫ୍‌ ନିରୀକ୍ଷଣ କଲାପରେ ତଥା ବ୍ୟବସାୟିକ ଦିଗ ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ଥିତି ସଂପର୍କରେ ବିସ୍ତୃତ ଅନୁଧ୍ୟାନ କଲାପରେ ବଲାଙ୍ଗିର ଓ କଳାହାଣ୍ଡିକୁ ବିମାନ ସେବା ଯୋଗାଇ ଦେବା ପାଇଁ ଏୟାର ଓଡିଶା ପକ୍ଷରୁ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହା ପ୍ରଣୀଧାନଯୋଗ୍ୟ ଯେ, ପାଟଣା ମହାରାଜ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ୧୯୬୭ ମସିହାରେ ତୁଷୁରା ଏୟାରଷ୍ଟ୍ରିପକୁ ଉଦ୍‌ଘାଟନ କରିଥିଲେ ଏବଂ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ଆସୁଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଖାରବେଳ ଭବନରେ ରାଜ୍ୟର ୫ ବିମାନ ବନ୍ଦରରୁ ବିମାନ ଉଡାନ ନେଇ ରାଜ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପୁନଶ୍ଚ ଜୁଲାଇ ୭ରେ ମୁଖ୍ୟ ଶାସନ ସଚିବ ୫ଟି ସଚିବଙ୍କ ତୋଫାନି କଳାହାଣ୍ଡି ଗସ୍ତ କାଳରେ ଉତକେଲା ଏୟାରଷ୍ଟ୍ରିପରେ ଅବତରଣ ସହ ଏହାର ସ୍ଥିତି, ଉନ୍ନତି ଉପରେ ସବିଶେଷ ସମୀକ୍ଷା କରିଥିଲେ । ଆରସିଏସ୍‌ ଉଡାଣ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଉତକେଲାରୁ ଭୁବନେଶ୍ୱର ଓ ରାୟପୁରକୁ ସାପ୍ତାହିକ ବିମାନସେବା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଥିଲେ । ଏପରି ସ୍ଥିତିରେ ତୁଷୁରା ଏୟାରଷ୍ଟ୍ରପରୁ ବିମାନ ଚଳାଚଳ ସେବା ଅତ୍ୟନ୍ତ ଜରୁରୀ ହୋଇପଡିଲାଣି । ଏ ଦିଗରେ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରି ଶୀଘ୍ର କୌଣସି ବ୍ୟବସ୍ଥା କରିବାକୁ ସଭାରେ ଦାବୀ ଉଠିଥିଲା । ସଂପାଦକ ଗୋବିନ୍ଦ ମିଶ୍ର ସଭା ପରିଚାଳନା କରିବା ସହ ସଭ୍ୟ ଦିବାକର ହୋତା, ହରେକୃଷ୍ଣ ପଟେଲ, ପୁରୁଷୋତ୍ତମ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.