୯୯ ବର୍ଷର ଡାକ୍ତରଖାନାର ଉନ୍ନତିକରଣ ଦାବୀ ନେଇ ତୁଷୁରାରୁ ବଲାଙ୍ଗିର ପଦଯାତ୍ରା କଲା ଏକ୍ସନ୍ କମିଟି

  • ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଓ ଡାକ୍ତର ନିଯୁକ୍ତି ଦାବୀ ନେଇ ପଦଯାତ୍ରା
  • ୩୨ କିଲୋମିଟର ବର୍ଷାରେ ଚାଲି ଚାଲି ଯାଇ ଦେଲେ ଦାବୀ ପତ୍ର
    ଦେଓଗାଁ, (ମନୀଷ କୁମାର ସାହୁ) : ଆଉ କିଛି ମାସ ପରେ ତିଆରି ହୋଇଥିବା ତୁଷୁରା ହସପିଟାଲକୁ ୧୦୦ ବର୍ଷ ପୂରିବ । ୧୯୨୨ ମସିହାରୁ ଆରମ୍ଭ ହୋଇଥିବା ଏହି ହସପିଟାଲରେ ୯୯ ବର୍ଷ ଭିତରେ କୌଣସି ଆଖିଦୃଶିଆ ଉନ୍ନତିମୂଳକ ପରିବର୍ତନ ଦେଖାଯାଇ ନାହିଁ । ଆଗରୁ ଯାହା ଅଛି ତାହା ଏବେ ବି ଚାଲୁଛି । ଗୋଟିଏ ଏମ୍‌ବିବିଏସ୍ ଡାକ୍ତର ପଦବୀ ଓ ୬ ଶଯ୍ୟା ଥିବା ଏହି ହସପିଟାଲରେ ଖାଲି କୋଠାବାଡ଼ି ତିଆରିକୁ ଛାଡ଼ିଦେଲେ ଡାକ୍ତର ସଂଖ୍ୟା ବୃଦ୍ଧି କରିବା ଆଦି ପ୍ରସଙ୍ଗକୁ ସରକାର ଭୁଲି ଯାଇଛନ୍ତି । ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ତଥା କନ୍ଧମାଳ ଜିଲ୍ଲାରୁ ଦୈନିକ ୨ଶହରୁ ଅଧିକ ରୋଗୀ ତୁଷୁରା ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଜଣେ ଡାକ୍ତର ଅଛନ୍ତି । ସେ ଛୁଟିରେ ଥିଲେ ରୋଗୀ ଡାକ୍ତରଖାନାକୁ ଆସି ଫେରିବା, ବଲାଙ୍ଗିରକୁ ଯିବା କିମ୍ବା ଗୁରୁତର ରୋଗୀ ବାଟରେ ମୃତ୍ୟୁ ବରଣ କରିବା ହିଁ ସାର ହୋଇଥାଏ । ଏହି ମଧ୍ୟରେ ଡାକ୍ତରଖାନାର ଉନ୍ନତି କରିବା ପାଇଁ ବିଭିନ୍ନ ସମୟରେ ଅନେକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଧାରଣା ସହ ଆମରଣ ଅନଶନ ହୋଇଥିଲା କିନ୍ତୁ କୌଣସି ପଦକ୍ଷେପ ନ ନେବାରୁ ତୁଷୁରା ୟୁଥ ଏକ୍ସନ କମିଟି ସୋମବାର ଦିନ ଡାକ୍ତରଖାନାର ଉନ୍ନତିକରଣ ଦାବୀ ନେଇ ତୁଷୁରାରୁ ବଲାଙ୍ଗିରକୁ ପଦ ଯାତ୍ରା କରିଛି । ଏହି ପଦ ଯାତ୍ରା ବିଭିନ୍ନ ଯୁବ ସଂଗଠନ, ମହିଳା ସଂଗଠନ ସାମିଲ ହୋଇ ବଲାଙ୍ଗିର ଯାଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଥିବା ଜଣାପଡିଛି ।
Leave A Reply

Your email address will not be published.