ତୁଷୁରା ହସପିଟାଲ ପ୍ରସଙ୍ଗ : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ତୁଷୁରାବାସୀ ୧୪ ଦିନ ଭିତରେ ସମାଧାନ ନହେଲେ ପୁଣି ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ଡାକ୍ତରଖାନାକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ ଜୋର ଧରିଛି । ପ୍ରଶାସନ ଓ ତୁଷୁରାବାସୀଙ୍କ ଅଲୋଚନା ବିଫଳ ହୋଇଥିବା ବେଳେ ୧୪ ତାରିଖରେ ବଲାଙ୍ଗିର ଚାଲ ଡାକରା ଦିଆଯାଇଥିଲା । ଆଜି ସକାଳୁ ଶତାଧିକ ଯୁବକ ତୁଷୁରାର ସ୍ୱାଭିମାନ ପାଇଁ ବଲାଙ୍ଗିରକୁ ପଦ ଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ସମସ୍ୟାର ସମାଧାନ ପାଇଁ ୧୪ ଦିନ ସମୟ ଦିଆଯାଇଥିବା ବେଳେ ଏହି ସମୟ ଭିତରେ ସମସ୍ୟାର ସମାଧାନ କରାନଗଲେ ପୁଣି ଆନ୍ଦଳୋନର ଚେତାବନୀ ଦିଆଯାଇଛି ।

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ସହରାଞ୍ଚଳରେ ୧୯୨୨ ମସିହାରୁ ଏକ ପିଏଚସି ରହିଛିି । ତୁଷୁରା ସମେତ କଳାହାଣ୍ଡି, କଣ୍‌ଣ୍ଟାମାଳ ତଥା ଅନ୍ୟ ଆଖପାଖ ଅଂଚଳବାସୀ ଏହି ଡାକ୍ତରଖାନା ଉପରେ ନିର୍ଭର । ଏଠାରେ ଲଗାତାର ଭାବେ ଡାକ୍ତର ଓ ଚିକିତ୍ସାର ଅଭାବ ଲାଗି ରହୁଥିବା ବେଳେ ଅଂଚଳବାସୀଙ୍କ ମନରେ ଦଶନ୍ଧି ଦଶନ୍ଧି ଧରି ଅସନ୍ତୋଷ ଭରି ରହିଛି । ବର୍ତ୍ତମାନ କରୋନା ମହାମାରୀ ସମୟରେ ମଧ୍ୟ ଏହି ଡାକ୍ତରଖାନାରେ ଗୋଟିଏ ମଧ୍ୟ ସ୍ଥାୟୀ ଡାକ୍ତର ନଥିବା ଡାକ୍ତରଖାନା ତଥା ଅଂଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉଜାଗର କରିଛି । ଏଭଳି ସ୍ଥିତିରେ ତୁଷୁରା ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ତଥା ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀରେ ଆସନ୍ତା ଜୁନ ୧୪ରେ ତୁଷୁରାରୁ ବଲାଙ୍ଗିରକୁ ଏକ ପଦଯାତ୍ରା ଡାକରା ଦିଆଯାଇଛି । ଏହି ପଦଯାତ୍ରାକୁ ରୋକିବା ପାଇଁ ଆଜି ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଧର ଧରୁଆ, ପୋଲିସ ଏସଡିପି ଓ ଅନ୍ୟ ଅଧିକାରୀ ଆସି ତୁଷୁରା ୟୁଥ ଏକ୍ସନ କମିଟିର ସଦସ୍ୟ ଓ ଆଞ୍ଚଳବାସୀଙ୍‌ଙ୍କ ଆନ୍ଦୋଳନ ନ କରିବା ପାଇଁ ବୁଝାସୁଝା କରିବା ପାଇଁ ଡାକିଥିଲେ । ଏହି ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ନିର୍ଭରଯୁକ୍ତ ପ୍ରତିଶୃତି ପାଇ ନଥିବା ବେଳେ ତୁଷୁରାବାସୀ ବିଶେଷ ଅସନ୍ତୋଷ ପ୍ରକାଶ କରିଥିଲେ । ଆଜି ସକାଳୁ ତୁଷୁରାରୁ ଶତାଧିକ ଯୁବକ ବଲାଙ୍ଗିର ଅଭିମୁଖେ ପଦଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତା’ସହ ଏ ସଂକ୍ରାନ୍ତିୟ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ୧୪ ଦିନର ସମୟ ଦିଆଯାଇଥିବା ସୂଚନା ରହିଛି । ତେବେ ଆସନ୍ତା ୧୪ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ତୁଷୁରାବାସୀ ପୁଣି ଅନ୍ଦୋଳନକୁ ଓହ୍ଲାଇବେ ବୋଲି କୁହାଯାଇଛି । ତୁଷୁରା ୟୁଥ ଏକ୍ସନ କମିଟିର ନେତୃତ୍ୱରେ ହୋଇଥିବା ଏହି ଅନ୍ଦୋଳନକୁ ବଲାଙ୍ଗିରର ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ସମର୍ଥନ କରିଥିବା ଜଣାପଡିଛି ।

Leave A Reply

Your email address will not be published.