oum

ଶିମିଳିପାଳରେ ତୁଷାରପାତ

jsm

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି । ଜୈବମଣ୍ଡଳ ଶିମିଳିପାଳରେ ପାରଦ ଖସୁଛି । ଜିଲ୍ଲାରେ ସର୍ବନିମ୍ନ ୮ଡିଗ୍ରୀ ତାପମାତ୍ରା ଥିବା ବେଳେ ଶିମିଳିପାଳରେ ୫ ଡିଗ୍ରୀ ସେଲସିୟସ ରହିଛି । ଅଭୟାରଣ୍ୟର ଉପର ବାରହାକାମୁଡା, ଦେବସ୍ଥଳୀ, ଜେନାବିଲ, ତାରାଣୀବିଲା ଓ କୁମ୍ଭାରୀଠାରେ ସ୍ଥାନେ ସ୍ଥାନେ ତୁଷାରପାତ ଜାରି ରହିଛି, ଯାହାକି ଚଳିତବର୍ଷର ଅଦ୍ୟାବଧି ସର୍ବନିମ୍ନ ତାପମାତ୍ରା ।

ତାପମାତ୍ରା ହ୍ରାସ ପାଇ ତୁହିନର ଆସ୍ତରଣ ପଡ଼ିଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।
ଶିମିଳିପାଳ ଅଭୟାରଣ୍ୟର ପର୍ବତମାଳା ଘେରା ଜିଲ୍ଲାରେ ଥିବା ୨୬ ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୪ ଦିନ ଧରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଗତ ୨୪ଘଣ୍ଟା ମଧ୍ୟରେ ସର୍ବନିମ୍ନ ୮.୨ଡିଗ୍ରୀ ତଳକୁ ଖସି ୮.୫ ଡିଗ୍ରୀ ସେଲିସିୟସ ଥିବା ରେକର୍ଡ ହୋଇଛି । ବିଗତ ବର୍ଷଗୁଡ଼ିକରେ ଏହି ଅଭୟାରଣ୍ୟରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଚଳିତବର୍ଷ ତାପମାତ୍ରା ଆହୁରି ଖସିବ ବୋଲି ଆକଳନ କରାଯାଇଛି । ଶିମିଳିପାଳ ଭିତରେ ରହୁଥିବା ପର୍ଯ୍ୟଟକଙ୍କ ଗାଡ଼ି, ନେଚର କ୍ୟାମ୍ପ ଓ ଘାସ ଗାଲିଚା ଉପରେ ତୁଷାରପାତ ଦେଖି ପର୍ଯ୍ୟଟକମାନେ ଖୁସି ହେବା ସହ ମଜା ଉଠାଇଛନ୍ତି । ରାତି ହେଲେ ଗାଁ ଗଣ୍ଡା ଲୋକେ ଚୁଲି ମୂଳେ କିମ୍ବା ଖୋଲା ସ୍ଥାନରେ ନିଆଁ ଜାଳି ବସିରହୁଛନ୍ତି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଶୀତ ବଢ଼ିବାରେ ଲାଗିଛି । ସପ୍ତାହେ ପର୍ୟ୍ୟନ୍ତ ଏହି ଶୀତ ଜାରି ରହିବ ବୋଲି ଜରୁରୀକାଳୀନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.