ଆଗଲପୁର, (ବିମଳେନ୍ଦୁ ସାହୁ) : ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ତଥା ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ପ୍ରତିଯୋଗିତାର ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଓ ସମ୍ମାନିତ ଅତିଥି ଭାବେ ସାଲେଭଟା ଫରେଷ୍ଟର ଚୌଧୁରି ଦଳପତି, ନଅଗାଁ ହାଇସ୍କୁଲ ପୂର୍ବ ପ୍ରଧାନ ଶିକ୍ଷକ ଭଗବତିଆ ସାହୁ, ଦାମୋଦର ବିଶ୍ୱାଳ, ଲଳିତ ମୋହନ ସାହୁ, ସଦାନନ୍ଦ ପସାୟତ, ଡିଙ୍ଗର ସେଠ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ପ୍ରତିଯୋଗିତାର ପ୍ରଥମ ଖେଳ ଅମାମୁଣ୍ଡା ଓ ବିଲେଇସର୍ଡା ମଧ୍ୟ୍ୟରେ ଅନୁଷ୍ଠିତ ହୋଇ ଥିଲା । ଏଥିରେ ବିଲେଇସର୍ଡା ଦଳ ବିଜୟୀ ହୋଇଥିଲା । ପରେ ସରଗାଡ଼ ଓ ନଅ ଗାଁ(ଖ) ମଧ୍ୟରେ ଅନୁଷ୍ଠିତ ଖେଳରେ ସରଗାଡ଼ ଦଳ ୩-୧ ଗୋଲରେ ନଅଗାଁ କୁ ହରାଇ ବିଜେତା ହୋଇଥିଲା । ଏଥିସହିତ ଆଜିର ଶେଷ ପର୍ୟ୍ୟାୟରେ ବିଲେଇସର୍ଡା ଓ ସରଗାଡ଼ ମଧ୍ୟରେ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ସରଗାଡ ଦଳ ବିଲେଇସର୍ଡା କୁ ଗୋଟିଏ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମ୍ୟାଚ୍ କମିଶନର ଦିଲୀପ ଧରୁଆଙ୍କ ନେତୃତ୍ୱରେ ସୁରେଶ ନାଏକ, ଜ୍ୟୋତିରଞ୍ଜନ ରାଉତ, କରୁଣାକର ପଧାନ, ବୀରେନ୍ଦ୍ର ଧରୁଆ ପ୍ରମୁଖ ଖେଳ ପରିଚାଳନା କରିଥିଲେ । କରୁଣାକର ବିଶ୍ୱାଳ ଉଦଘୋଷକ ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।
ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ଓ ସମସ୍ତ ଗ୍ରାମବାସୀ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post