ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୧୩ ତାରିଖରେ ହେବାକୁଥିବା ବିଶ୍ୱ ହକି କପ୍ର ପ୍ରଚାର ଓ ପ୍ରସାର ପାଇଁ ଛତ୍ରପୁର ଷ୍ଟାଡିୟମ ପରିସରରେ ଛତ୍ରପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହା ସାଙ୍ଗକୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ୟୁଥମାସ ସେବା ସଂଘର ଅଧ୍ୟକ୍ଷ ବନମାଳି ନେପାକ, ଉପଦେଷ୍ଟା ତଥା ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ରାଇଜିଙ୍ଗ ଷ୍ଟାର ଭଲିବଲ ଟୁର୍ଣ୍ଣାମେଣ୍ଟର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ, ସମାଜସେବୀ ଏ. ରାବଣା ରାଓ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦିଲ୍ଲୀପ ତିର୍କୀ ଟିମ୍, ସୁନୀତା ଲାକାରା ଟିମ୍, ଆମିତ୍ ରୋହି ଦାଶ ଟିମ୍, ରିଲିମା ମିଞ୍ଜ ଟିମ୍ ଓ ମାନପ୍ରିତ ସିଂ ଟିମ୍ ହକି ଖେଳରେ ଅଂଶଗ୍ରହଣ କରିଥିବା ବେଳେ ମାଳି ଜଗନ୍ନାଥପୁର ଦଳ ସହ ଛତ୍ରପୁର ଦଳ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୨ ତାରିଖ ଦିନ ସନ୍ଧ୍ୟାରେ ଛତ୍ରପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୟୁଥମାସ ସେବା ସଂଘର ୧୪ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ୟୁଥମାସ ସେବା ସଂଘ ପକ୍ଷରୁ ସୂଚନା ମିଳିଛି । ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ସୟେଦ ମୁକ୍ତାର ପରିଚାଳନା କରିଥିବା ବେଳେ ପିଟର ସୋରେନ୍, ସନ୍ତୋଷ କୁମାର ଗୌଡ ଓ ମନୋଜ କୁମାର ସ୍ୱାଇଁ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ସଂଘର ଉପଦେଷ୍ଟା ରାଜେଶ କୁମାର ସାହୁ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରା, ଗୋପାଳ ସ୍ୱାମୀ ଓ ମୁନା ଗୌଡଙ୍କ ସମେତ ବହୁ ସଦସ୍ୟମାନେ ସହଯୋଗ କରିଥିଲେ ।