ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ଦିଗପହଣ୍ଡିକୁ ହରାଇ ବ୍ରହ୍ମପୁର ପାୱାର ସିକ୍ସ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲରୋଡ଼ ନିକଟରେ ଗତ ୧୧ ତାରିଖରେ ଆରମ୍ଭ ହୋଇଥିବା ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡା ସ୍ମାରକୀ ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ଆଠଟି ଦଳ ଅଥବା ଆଠଟି ଜିଲ୍ଲାର କ୍ରୀଡା ଦଳ ଅଂଶଗ୍ରହଣ କରିଥିଲେ । ଦୀର୍ଘ ସାତଦିନ ଧରିଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ଦିଗପହଣ୍ଡି ସହ ବ୍ରହ୍ମପୁର ପାୱାର ସିକ୍ସ ମଧ୍ୟରେ ଦୀର୍ଘ ସମୟ ଧରି ଘାମାଘୋଟ ଲଢ଼େଇ ହୋଇଥିଲା । ଶେଷରେ ୩ – ୨ ସେଟ୍‌ରେ ବ୍ରହ୍ମପୁର ପାୱାର ସିକ୍ସ ବିଜୟୀ ଲାଭ କରି ଶ୍ରେଷ୍ଠ ଦଳ ଭାବେ ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି । ଉଦ୍‌ଯାପନୀ ସନ୍ଧ୍ୟାର ଭବ୍ୟ ସାମାରୋହରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରସ୍ଥ ଜାତୀୟ ସଙ୍ଗୀତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅମୀୟ କୁମାର ଧଳ, ଶ୍ରୀରାମଚନ୍ଦ୍ରପୁରର ସମିତି ସଭ୍ୟ ତଥା ପ୍ରାକ୍ତନ ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡୀ, ବିଶିଷ୍ଟ କ୍ରୀଡାବିତ୍‌ କମଲ ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଖେଳାଳି ଓ ବିଜେତାଙ୍କୁ ମାନପତ୍ର, ଉପଢୌକନ, ପୁରସ୍କାର ସହ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ସ୍ଥାନୀୟ କ୍ରୀଡ଼ାବିତ୍‌ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣପଦକପ୍ରାପ୍ତ ଭି. ରମେଶ ରାଓଙ୍କୁ ସମ୍ମାନିତ କରାଯାଇଥିଲା । ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍‌ର ଉପଦେଷ୍ଟା ଶିକ୍ଷକ ଲକ୍ଷ୍ମୀ ନାରାୟଣ ପାତ୍ର, ସଭାପତି ସନ୍ତେ ପ୍ରଧାନ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ପରିଚାଳକ ଶିକ୍ଷକ ବିପ୍ରଚରଣ ସାହୁ, ତ୍ରିଲୋଚନ ବେହେରା, ସରୋଜ କୁମାର ବେହେରା ପ୍ରମୁଖ ବହୁ ସଭ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.