
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ନିଆଁରା ପରମ୍ପରାରେ ବାହୁଡ଼ା ଯାତ୍ରା ସମାପନ ହୋଇଛି । ଗ୍ରାମବାସୀଙ୍କ କହିବାନୁସାରେ, ଏହି ଅଞ୍ଚଳରେ ରଥଯାତ୍ରା ପାଳନ ହେବା ପଛରେ ଏକ କାହାଣୀ ରହିଛି । ବହୁ ବର୍ଷ ଆଗରୁ ଜଣେ ବୈଷ୍ଣବ ସଂପ୍ରଦାୟର ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଆସିଥିଲେ । ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ସ୍ଥାପନା କରି ପୂଜା କରିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ସେହି ସମୟରେ ଗୋତୋମୁଣ୍ଡା ଗାଁର ଗୌନ୍ତିଆ ନଥିବାରୁ ଜଗନ୍ନାଥଙ୍କ ବିଗ୍ରହକୁ ରଖିବା ଲାଗି ଗ୍ରାମବାସୀ ମନା କରିଥିଲେ । ଯାହା ପରେ ବୈଷ୍ଣବ ବ୍ୟକ୍ତି ଜଣକ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନ୍ୟତ୍ର ଚାଲି ଯାଇଥିଲେ । ଗାଁର ଗୌନ୍ତିଆ ଗୋତୋମୁଣ୍ଡା ଫେରିବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ କହିଥିଲେ । ତା’ ପରଦିନ ଗୌନ୍ତିଆ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଗ୍ରାମବାସୀକୁ କହିଥିଲେ । ବୈଷ୍ଣବ ବ୍ୟକ୍ତି ଜଣକ ଛତିଶଗଡ଼ର ବରିଗାଁରେ ଥିବା ଖବର ପାଇଥିଲେ । ଯାହା ପରେ ଗ୍ରାମବାସୀମାନେ ତାଙ୍କୁ ଭେଟି ଗୋତୋମୁଣ୍ଡା ଆସିବାକୁ ନିମନ୍ତ୍ରଣ କରିଥିଲେ । ପରବର୍ତ୍ତୀ ସମୟରେ ବୈଷ୍ଣବ ବ୍ୟକ୍ତି ଗୋତମୁଣ୍ଡା ପହଞ୍ଚି ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୂଜା କରିବା ପାଇଁ ଅନୁରୋଧ କରିଥିଲେ । ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା ସରି ଯାଇଥିବା ବେଳେ ଆଗକୁ ବାହୁଡ଼ା ଯାତ୍ରା ଥିଲା । ବାହୁଡ଼ା ଯାତ୍ରା ଦିନ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଗ୍ରାମକୁ ପହଞ୍ଚିଥିଲେ । ବାହୁଡ଼ା ଯାତ୍ରା ଦିନ ଗୋତୋମୁଣ୍ଡା ଗ୍ରାମର ଇଷ୍ଟଦେବୀ ମା’ ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ସମେତ ଅନ୍ୟ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ରହିଥିଲା । ଗୋତୋମୁଣ୍ଡା ଗୌନ୍ତିଆ ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀଙ୍କ ଲାଠି, କୁର୍ସି, କାଳିଶି ସହ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁଙ୍କୁ ସ୍ୱାଗତ କରି ଗାଁକୁ ପାଛୋଟି ନେଇଥିଲେ । ସେହି ଦିନରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରା ଅନୁସାରେ ଗୋତୋମୁଣ୍ଡା ଗାଁରେ ବାହୁଡ଼ା ଯାତ୍ରା ହୋଇଆସୁଛି ।