ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ତିନିଦିନିଆ ସମାରୋହର ଉଦଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ କର୍ମଶାଳା ଏବଂ ମତ୍ସ୍ୟ ସମ୍ପଦର ବିକାଶ ସମ୍ପର୍କିତ ଜ୍ଞାନ କୌଶଳ ପ୍ରଶିକ୍ଷଣ ଓ ପ୍ରଦର୍ଶନୀମେଳା ସମାରୋହକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଶନିବାର ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ରାଜ୍ୟର ଏକମାତ୍ର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଏ ସମ୍ପର୍କିତ ତିନି ଦିନିଆ ଜାତୀୟସ୍ତରୀୟ ପ୍ରଦର୍ଶନୀମେଳା ଏବଂ ବୈଜ୍ଞାନିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆନୁଷ୍ଠାନିକ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଦ୍ଵାରା ସ୍ମରଣିକା, ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କିତ ପ୍ରଣୀତ ପୁସ୍ତକ ଉନ୍ମୋଚନ କରିଥିଲେ ଏବଂ ଦେଶ ଓ ଜାତୀୟ ସ୍ତରର ମେଧାବୀ ଛାତ୍ରଛାତ୍ରୀ, ଡକ୍ଟରେଟ ଉପାଧି ହାସଲ କରିଥିବା ବ୍ୟକ୍ତିବିଶେଷ୍ୟ, ଆଦର୍ଶ ବୈଜ୍ଞାନିକଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ କରିଥିଲେ । ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତାଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓୟୁଏଟି ଭୁବନେଶ୍ୱରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହର ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମୁଖ୍ୟ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ବିଜ୍ଞାନ ଓ ଶିକ୍ଷା ବିଭାଗ ଉପ- ମହାପ୍ରବନ୍ଧକ ଡ଼ଃ. ଜୟକୃଷ୍ଣ ଜେନା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ. ବିଜୟ କୁମାର ବେହେରା (ନୂଆଦିଲ୍ଲୀ), ଡ଼ଃ. ବସନ୍ତ କୁମାର ଦାସ୍ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବିଶିଷ୍ଟ ଅତିଥି ଗଣ ଯୋଗଦେଇ ଓଡିଶାରେ ମତ୍ସ୍ୟ ବିଜ୍ଞାନର ଜ୍ଞାନ କୋଶଳର ଅଗ୍ରଗତି କରାଇ ମତ୍ସ୍ୟ ଚାଷୀ ଓ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣୀତ କରାଇ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଓ ବିକାଶ ଦିଗରେ ଅଭିବୃଦ୍ଧି କରାଯିବା ନିମନ୍ତେ ପ୍ରୟାସ ଜାରୀ ରଖିବାକୁ ଆହ୍ୱାନ ଦିଆଯାଇଛି । ଅନୁଷ୍ଠିତ ଆନୁଷ୍ଠାନିକ ଉଦଘାଟନୀ ସଭାରେ ଡ଼ଃ. ବସନ୍ତ କୁମାର ଦାସ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଗି.ଫ୍.ଜି.ଫ. ଦ୍ଵାରା କୃତ୍ତି ବିଦ୍ୟାର୍ଥି ଓ ବୈଜ୍ଞାନିକମାନଙ୍କୁ ପୁରସ୍କାର ବିତରଣ ସହ ସମ୍ମାନୀତ କରାଯାଇଥିଲା । ସିଆଫ୍ଇ (ମୁମ୍ବାଇ) ର ଡ଼ଃ. ବିନୟ ଭୂଷଣ ନାୟକ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କେନ୍ଦ୍ରୀୟ ସଂସ୍ଥାର ଅଧ୍ୟକ୍ଷ, ବୈଜ୍ଞାନିକ ଏବଂ ଭାରତର ବିଭିନ୍ନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବରିଷ୍ଠ ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି ତିନିଦିନିଆ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।

jittmm
Leave A Reply

Your email address will not be published.