centurian jitm

ଥାନା ଘେରିଲେ ପଡାବାସୀ

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟୁତ କାଟକୁ ନେଇ ଭବାନୀପାଟଣା ପୌରାଧ୍ୟକ୍ଷ ଏବଂ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏପରିକି ଏହି ଘଟଣାକୁ କେନ୍ଦ୍ରକରି ଭବାନୀପାଟଣା ବାଙ୍ଗଟିପଡ଼ାବାସୀ ଟାଉନ ଥାନା ଘେରାଉ କରିଥିବା ନଜରକୁ ଆସିଛି । ସୂଚନାନୁଯାୟୀ, ଭବାନୀପାଟଣା ସହରର ବାଙ୍ଗଟିପଡା ବସ୍ତିରେ ବିଦ୍ୟୁତ କାଟକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିଲା । ଶୁକ୍ରବାର ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କ ସହ ପଡ଼ାବବାସୀ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିଲେ । ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କ ହସ୍ତକ୍ଷେପ ପରେ ପଡ଼ାରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ମାତ୍ର ଏହି ଘଟଣାକୁ ନେଇ ପୌରାଧ୍ୟକ୍ଷ ଏବଂ ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ରାଜେଶ ମିଶ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏସ୍‌ଡ଼ିଓ ଶ୍ରୀ ମିଶ୍ର ଭବାନୀପାଟଣା ଟାଉନ୍ ଥାନାରେ ପୌରପାଳିକା ଅଧ୍ୟକ୍ଷଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଶତାଧିକ ବାଙ୍ଗଟିପଡ଼ାବାସୀ ଶୁକ୍ରବାର ସଂଧ୍ୟାରେ ଭବାନୀପାଟଣା ଟାଉନ୍ ଥାନା ଘେରାଉ କରିଥିଲେ । ଥାନା ଅଧିକାରୀ ଯଶୋବନ୍ତ ହିଆଲ ହସ୍ତକ୍ଷେପ କରି ଆପୋଷ ବୁଝାମଣା କରିବାକୁ ପ୍ରୟାସ କରିଥିଲେ । ବୁଧବାର ବିଦ୍ୟୁତ ବିଲ ସଂଗ୍ରହ କରିବାକୁ ଟାଟା ପାୱାର କର୍ମଚାରୀ ବାଙ୍ଗଟିପଡ଼ାକୁ ଯାଇଥିଲେ । ପୁରୁଣା ବକେୟା ବିଲ୍ ଥିବାରୁ ପଡ଼ାର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ । ଉକ୍ତ ପଡ଼ାରେ ଅଧିକାଂଶ ପୌରପାଳିକା ସଫେଇ କର୍ମଚାରୀ ରହୁଥିବା ବେଳେ ସମସ୍ତ ବିଦ୍ୟୁତ ସଂଯୋଗ ବିପିଏଲ୍ କରାଯାଇଛି । ବିଦ୍ୟୁତ କାଟ ହୋଇଥିବା ସମ୍ପର୍କରେ ପଡ଼ାବାସୀ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ । ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି ଅଧା ବିଲ ପୈଠ କରାଯିବ ଓ ପରେ ବକେୟା ସଂଗ୍ରହ କରି ଦିଆଯିବ ବୋଲି ଆଲୋଚନା କରିଥିଲେ । ମାତ୍ର କୌଣସି କାରଣରୁ ଏସ୍‌ଡିଓ ଏବଂ ପୌରାଧ୍ୟକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଏସ୍‌ଡିଓ ଥାନାରେ ଅଭିଯୋଗ କରିଥିଲେ । ତାହାର ପ୍ରତିବାଦରେ ଅଧ୍ୟକ୍ଷଙ୍କ ସମେତ ପଡ଼ାବାସୀ ଥାନା ଘେରାଉ କରିଥିଲେ । ଦୀର୍ଘ ସମୟ ଧରି ଚାପା ଉତ୍ତେଜନା ଲାଗି ରହିଥିଲା ।

Leave A Reply

Your email address will not be published.