oum

ସୋମବାର ସକାଳେ ଶାଶୁ ଘରକୁ ବିଜେକଲେ ମା’ ରାମାୟଣାମ୍ମା ଠାକୁରାଣୀ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ପ୍ରତ୍ୟୁଷରେ ଠାକୁରାଣୀ ଶାଶୁଘର ପାଦ ଥାପିଥିଲେ । ଭକ୍ତମାନଙ୍କ ଦ୍ୱାରା ଦେବୀଙ୍କୁ ପାଛୋଟି ନେଇ ଦେବୀଙ୍କୁ ରତ୍ନ ସିଂହାସନ ଆରୋହଣ କରାଇଥିଲେ । ଅପୂର୍ବ ଆନନ୍ଦର ଲହରୀ ମଧ୍ୟରେ ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶାର ଅନ୍ୟତମ ଐତିହାସିକ, ଲୌକିକ ପରମ୍ପରା, ଛତ୍ରପୁରର ଠାକୁରାଣୀ ଯାତ୍ରା ଉତ୍ସବମୁଖର ସହ ସମାହିତ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ଦେବୀଙ୍କ ଶେଷ ଘଟଯାତ୍ରା ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହି ଦିନର ଘଟଯାତ୍ରାରେ ପରିସ୍ଥିତି ଅସମ୍ଭାଳ ପରି ମନେ ହୋଇଥିଲା । ରବିବାର ପୂର୍ବାହ୍ନରେ ଦେବୀଙ୍କ ଶାଶୁ ଘରୁ ଡାକରା ଆସିଥିଲା । ଶାଶୁଘର ଲୋକଙ୍କୁ ମା’ଙ୍କ ପିତୃ ପରିବାର ଲୋକେ ସସମ୍ମାନର ସହ ପାଛୋଟି ନେଇଥିଲେ । ସେତେବେଳେ ଦେବୀଙ୍କ ପିତୃ ଘର ଓ ଶାଶୁ ଘର ଲୋକଙ୍କ ସଂଖ୍ୟା ସହ ଅଗଣିତ ଭକ୍ତଙ୍କର ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ ଲଗି ପ୍ରବଳ ଭିଡ଼ ଜମିଥିଲା । ମଧ୍ୟାହ୍ନ ସମୟରେ ଠାକୁରାଣୀଙ୍କ ପାଇଁ ଭେଟି ଆସିଥିବା ନାନା ସ୍ଵାଦିଷ୍ଟ ବ୍ୟଞ୍ଜନ ଖଜା, ଲଡୁ, କାକରା, ନାନାଦି ପିଠା, ପଣା ଗଜା ମୁଆଁ ଆଦି ଭୋଗ ଲାଗି ହୋଇଛି । ରବିବାର ଅନ୍ତିମ ଦିନରେ ଅସ୍ଥାୟୀ ମଣ୍ଡପ ନିକଟରେ ଥିବା ମୁଖ୍ୟବଜାର ଉପରେ ଭକ୍ତଗଣଙ୍କ ନିମନ୍ତେ ଆନନ୍ଦବଜାର ବ୍ୟବସ୍ଥା କରାଯାଇଥିଲା । ଦଶ ହଜାର ଲୋକଙ୍କ ପାଇଁ ଅନ୍ନ-ପ୍ରସାଦ ସେବନର ଆୟୋଜନ ହୋଇଥିଲା । ରବିବାର ମଧ୍ୟ ରାତ୍ରୀରେ ଅଗଣିତ ଭକ୍ତଜନ ଦେବୀଙ୍କ ଶେଷଦର୍ଶନ କରିଥିଲେ । ଦେବୀ ଓ ତାଙ୍କ ସହଚରୀ ଗଣଙ୍କୁ ନେଇ ବଜାର ପରିକ୍ରମା କରି ଦେବୀ ଦଶଭୁଜା ମହାମାୟୀ ଶାଶୁ ଘରକୁ ଆଗମନ କରିଥିଲେ । ଦେବୀ ଶାଶୁ ଘରକୁ ପହଞ୍ଚିଲା ବେଳକୁ ସୋମବାର ପ୍ରତ୍ୟୁଷ ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ଏହି ସମୟରେ ଦେବୀଙ୍କ ଶାଶୁ ଘର ଅର୍ଥାତ୍ ମୁଖ୍ୟ ମନ୍ଦିର ସାମ୍ନାରେ ନାନାଦି ଭୋଗ ରାଗ ବଢ଼ାଯାଇ ମା’ଙ୍କୁ ସମ୍ମାନର ସହ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା । ଦେବୀଙ୍କୁ ରାଜଭୋଗ ଅର୍ପଣ କରାଯାଇ ଆରତୀ ବନ୍ଦାପନା କରି ଦେବୀଙ୍କୁ ରତ୍ନ ସିଂହାସନରେ ବିଜେ କରାଯାଇଥିଲା । ସୋମବାର ସକାଳୁ ଦେବୀଙ୍କ ମନ୍ଦିରରେ ଶହସ୍ରାଧିକ ଭକ୍ତମାନଙ୍କ ସମାଗମରେ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଦେବୀଙ୍କୁ ସିଂହାସନ ବିଜେ କରାଇଛନ୍ତି । ଦେବୀଙ୍କ ମେଲାଣି ଅବସରରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଅଗଣିତ ଦର୍ଶକଙ୍କୁ ମୁଗ୍ଧ କରିଦେଇଥିଲା । ସେହିପରି ଦୁଇଟି ନାଟ୍ୟଦଳ ସଂସ୍ଥା ତରଫରୁ ସମ୍ପୂର୍ଣ୍ଣ ରାମାୟଣ ପରିବେଷଣ ହୋଇ ଅଗଣିତ ଦର୍ଶକଙ୍କୁ ମୁଗ୍ଧ କରିଦେଇଥିଲା, ଯାହାକି, ଏହି ପୌରାଣିକ ନାଟକ ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଚାଲିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ବର୍ଷର ଠାକୁରାଣୀ ଯାତ୍ରା ଖୁବ୍ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହୋଇ ଛତ୍ରପୁର ସହରବାସୀଙ୍କ ମନରେ ଏବଂ ଆଖ ପାଖ ଅଞ୍ଚଳରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଦେଇଥିଲା । ଲୋକେ ଯାତ୍ରା କମିଟିର ମ୍ୟାନେଜର୍‌ ସି. ଏଚ୍‌. ଦୟାନନ୍ଦ ରେଡ୍ଡୀଙ୍କୁ ଭୂରି ଭୂରି ପ୍ରଶଂସାରେ ସାଉଁଟିଛନ୍ତି ବୋଲି ସାଧାରଣରେ କୁହାଯାଏ ।

Leave A Reply

Your email address will not be published.