ବଲାଙ୍ଗିର, (କେପିଏନ୍ଏସ୍) : ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ଏସ୍ଡ଼ିପିଓ ତୋଫାନ୍ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅଲଙ୍ଗପୁର ନିବାସୀ ସ୍ମୃତିରଞ୍ଜନ ସାହୁ(୨୦)ଙ୍କୁ ବଲାଙ୍ଗିରର ଗୋଟିଏ ପ୍ରାଇଭେଟ କମ୍ପାନୀରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ମହିତୋଷ ସାମଲ ବଲାଙ୍ଗିରକୁ ଡାକିଲେ । ସ୍ମୃତିରଞ୍ଜନ ବଲାଙ୍ଗିର ଆସିବା ପରେ ସୁକାନ୍ତ ପରିଡା, ସତ୍ୟଜିତ ଖଟୁଆ, ବିଶ୍ଵଜିତ ପ୍ରଧାନ, ମହିତୋଷ ସାମଲ, ଗୋପାଳ ରାଉତ, ଦିପୁନ ବେହେରା, ଅନ୍ତରିନ ଭୋଇ, କାହ୍ନୁ ଚରଣ ପ୍ରଧାନ ଏବଂ ପିଣ୍ଟୁ ସାହୁ ତାଙ୍କଠାରୁ ୫ ହଜାର ଟଙ୍କା ନେଇ ପରେ ଆଉ ୭ ହଜାର ଟଙ୍କା ଦେବା ପାଇଁ କହିବାରୁ ଦରମା ପାଇଲେ ବାକି ଟଙ୍କା ଦେବେ ବୋଲି କହିଥିଲେ ସ୍ମୃତିରଞ୍ଜନ । ହେଲେ ଉପରୋକ୍ତ ବ୍ୟକ୍ତିମାନେ ତାଙ୍କୁ ଅନ୍ୟ ଏକ ନିଛାଟିଆ ସ୍ଥାନକୁ ନେଇ ରଖିଲେ ଓ କାହା ସହିତ କଥାବାର୍ତା କରିବାକୁ ଦେଲେନାହିଁ । ପରେ ସେ ଯେତେବେଳେ ତାଙ୍କ ଜଣେ ଶିକ୍ଷକଙ୍କୁ ଫୋନ ମାଧ୍ୟମରେ ଘଟଣା ସଂପର୍କରେ ଜଣାଇଲେ, ତାଙ୍କ ଠାରୁ ଅଭିଯୁକ୍ତମାନେ ଫୋନ ଛଡ଼ାଇ ନେଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହି ମାମଲାରେ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବଳାଜିତପଡା ନିବାସୀ ସୁକାନ୍ତ ପରିଡା(୨୭), କଟକର ଚୌଦ୍ୱାର ଥାନା ଅନ୍ତର୍ଗତ ବଡସାମନ୍ତପୁର ନିବାସୀ ସତ୍ୟଜିତ ଖଟୁଆ(୨୦), କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଘୁଷୁରିଆ ନିବାସୀ ବିଶ୍ଵଜିତ ପ୍ରଧାନ(୨୭), ଜଗତସିଂହପୁର ଜିଲ୍ଲା ପାରାଦୀପ ଥାନା ଅନ୍ତର୍ଗତ ମଧୁବନ ନିବାସୀ ମହିତୋଷ ସାମଲ(୨୮), ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଜୟପୁର ନିବାସୀ ଗୋପାଳ ରାଉତ(୨୦), ଅନଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ନକଚି ନିବାସୀ ଦିପୁନ ବେହେରା(୨୦), ପୁରୀ ସଦର ଥାନା ଅନ୍ତର୍ଗତ ସହାନିକେରା ନିବାସୀ କାହ୍ନୁ ଚରଣ ପ୍ରଧାନ(୨୦), ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ଡିମିରିପଦର ନିବାସୀ ପିଣ୍ଟୁ ଓରଫ ସିଦ୍ଧାନ୍ତ ସାହୁ(୧୯) ଓ ପଶ୍ଚିମବଙ୍ଗ ରାଜ୍ୟର ଝାରଗ୍ରାମ ଜିଲ୍ଲା ଅନ୍ତର୍ଗତ ଚୋଟୋଏକତାଲ ନିବାସୀ ଅନ୍ତରିନ କାନ୍ତି ଭୋଇ(୨୨)ଙ୍କୁ ଦଫା- ୪୨୦/୩୪୨/୫୦୬/୩୭୯/୩୪ ଭା.ଦ.ଆ ଅନୁସାରେ ଆଜି ଅପରାହ୍ନରେ ଆରେଷ୍ଟ କରାଯାଇ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
Prev Post