ଚାକିରି ଦେବା ନାଁରେ ୧୨୫ ଜଣ ଯୁବକ ଯୁବତୀଙ୍କୁ ଠକେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ଦେବା ନାଁ ରେ ୧୨୫ ଜଣ ଯୁବକ ଯୁବତୀଙ୍କୁ ଠକେଇ । ବଲାଙ୍ଗିର ଜିଲ୍ଲାରେ ଏଭଳି ଏକ ବଡ ଧରଣର ଠକେଇ ଅଭିଯୋଗ ଆଜି ସାମ୍ନାକୁ ଆସିଛି । ଗ୍ୟାସ କମ୍ପାନୀରେ କାମ ଦେବାକୁ କହି ଏହି ଯୁବକ ଯୁବତୀଙ୍କ ଠାରୁ ଝûରସୁଗୁଡାର ଜଣେ ଯୁବକ ୩୭ ହଜାର ୫୦୦ ଟଙ୍କା ଠକି ନେଇଥିବା ଅଭିଯୋଗ କରି ଠକେଇର ଶିକାର ହୋଇଥିବା ଯୁବକ ଯୁବତୀ ମାନେ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକାରିଣୀ ଶିବାନୀ ମିଶ୍ରଙ୍କ କହିବା ଅନୁସାରେ ସେ ଫେସବୁକରେ ଏକ ବିଜ୍ଞାପନ ଦେଖି ଦିଆଯାଇଥିବା ନମ୍ବରରେ କଲ କରିଥିଲେ । ସେପଟୁ ଫୋନ ଉଠାଇଥିବା ଯୁବକ ନିଜର ନାମ ସୋରିନ କୁମାର ଶତପଥୀ ବୋଲି କହିବା ସହ, ଝାରସୁଗୁଡାରେ ତାଙ୍କର ଶ୍ରୀ ଏଜେନ୍ସି ଗ୍ୟାସ ପ୍ରାଇଭେଟ ଲିମିଟେଡ଼ ନାମରେ ଏକ କମ୍ପାନୀ ରହିଥିବା କହିଥିଲେ । ଶିବାନୀଙ୍କୁ ଟେଲି କଲର ମ୍ୟାନେଜର ଭାବରେ ଦାୟିତ୍ୱ ଦେଇ ୩୩ ହଜାର ଟଙ୍କା ଦରମା ଦେବେ ବୋଲି କହିଥିଲେ । ସୋରିନଙ୍କ କଥାରେ ବିଶ୍ୱାସ କରି ଶିବାନୀ ତାଙ୍କୁ ପ୍ରମାଣପତ୍ର ଏବଂ ୩୦୦ ଟଙ୍କା ଫିଜ ଦେଇଥିଲେ । ଏହାପରେ ସେ ଆହୁରି ୩୦ ଜଣ ଏଜେଣ୍ଟକୁ ଯୋଡିବାକୁ କହିଥିଲେ । ଶିବାନୀ ନିଜର ଚିହ୍ନା ପରିଚିତ ୩୦ ଜଣ ସାଙ୍ଗସାଥିଙ୍କୁ କହି ପ୍ରମାଣପତ୍ର ଓ ୩୦୦ ଟଙ୍କା ଦେଇଥିଲେ । ଏହା ପରେ ସୋରିନ ପୁଣି ୯୦ ଜଣଙ୍କୁ ଯୋଡିବାକୁ କହିଥିଲେ । ଏମିତି ଭାବରେ ମୋଟ ୧୨୫ ଜଣଙ୍କ ଠାରୁ ୩୭ ହଜାର ୫୦୦ ଟଙ୍କା ନେବା ପରେ ସୋରିନ ଏବେ କୁଆଡେ ଉଭାନ ହୋଇଯାଇଥିବା ଯୁବତୀ ଜଣକ କହିଛନ୍ତି । ଠକେଇର ଶିକାର ହୋଇଥିବା ଜାଣି ଯୁବକ ଯୁବତୀମାନେ ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ସେହି ଠକକୁ ଧରି ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.