ଟାଟା ଷ୍ଟିଲରେ ଚାକିରି ଦେବାକୁ କହି ୧୦ ଲକ୍ଷ ଠକେଇ ଅଭିଯୋଗ

ଯାଜପୁର ସଦର : କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲରେ ଚାକିରି କରାଇ ଦେବାକୁ କହି ୧୦ ଲକ୍ଷ ୨୦ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଯାଜପୁର ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଶଙ୍କରପୁର (ଫରିଦାବାଦ) ଗ୍ରାମର ପ୍ରଦ୍ୟୁମ୍ନ କୁମାର ନାୟକ ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ କଳିଙ୍ଗନଗର ଟାଟା ଷ୍ଟିଲରେ ଚାକିରି କରାଇ ଦେବି କହି ଯାଜପୁର ସଦର ଥାନା ଭୂଇଁପୁର ପଞ୍ଚାୟତ ମଲ୍ଲପଡ଼ା ଗ୍ରାମର ପ୍ରତ୍ୟୁଷ କୁମାର ସାହୁ (୨୪)ଙ୍କଠାରୁ ୨୦୨୦ରୁ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିଲେ । ସମସ୍ତ ଟଙ୍କା ଫୋନ ପେ ମାଧ୍ୟମରେ ପୈଠ ହୋଇଛି । ପ୍ରଦ୍ୟୁମ୍ନଙ୍କ ପତ୍ନୀଙ୍କ ବ୍ୟାଙ୍କଖାତାକୁ ମଧ୍ୟ ଟଙ୍କା ପଠାଇଥିବା ଜଣାପଡ଼ିଛି । ଏହାପରେ ପ୍ରଦ୍ୟୁମ୍ନ ଏକ ନକଲି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ନିଯୁକ୍ତିପତ୍ର ଧରି ଚାକିରି କରିବାକୁ ଟାଟା ଷ୍ଟିଲରେ ପହଞ୍ଚିଥିଲେ ପ୍ରତ୍ୟୁଷ । ସେଠାରେ ଅଧିକାରୀଙ୍କୁ ଦେଖାଇବାରୁ ଏହା ନକଲି ବୋଲି ଜଣାପଡ଼ିଥିଲା । ଏହା ଜାଣିବା ପରେ ସେ ଟଙ୍କା ଫେରାଇବାକୁ ପ୍ରଦ୍ୟୁମ୍ନକୁ କହିଥିଲେ । ଏପ୍ରିଲ ୨୦୨୨ ସୁଦ୍ଧା ସମସ୍ତ ଅର୍ଥ ଫେରାଇ ଦେବ ବୋଲି ପ୍ରଦ୍ୟୁମ୍ନ କହିଥିଲେ ହେଁ ଦେଇନଥିଲା । ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ପାଇଲା ପରେ ସଦର ଥାନାଧିକାରୀ ମାନସ ରଞ୍ଜନ ଚକ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଦ୍ୟୁମ୍ନଙ୍କୁ ଗିରଫ କରିଛନ୍ତି ।

Leave A Reply

Your email address will not be published.