
ଭୁବନେଶ୍ୱର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ । ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍ଚର୍ ହେରିଟେଜ (ଇନ୍ଟାକ୍)ର ସଦସ୍ୟମାନେ ଏହି ପ୍ରାଚୀନ କୂଅକୁ ସନ୍ଧାନ କରିଥିବା ବେଳେ ଏହା ପ୍ରାୟ ୧୦୦୦ ବର୍ଷ ତଳର ବୋଲି ଇନ୍ଟାକ ପ୍ରକଳ୍ପ ସଂଯୋଜକ ଅନିଲ ଧୀର ସୂଚନା ଦେଇଛନ୍ତି ।
ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଇନ୍ଟାକ୍ ପ୍ରକଳ୍ପ ସଂଯୋଜକ ଧୀରଙ୍କ ସମେତ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ଓ ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ୱାଇଁ ପହଞ୍ଚି କୂଅ ତଥା ଆଖପାଖ ଅଞ୍ଚଳର ପ୍ରାଥମିକ ପର୍ଯ୍ୟବେକ୍ଷଣ କରିଛନ୍ତି । ଏହି କୂଅ ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଥିଲେ ଯେ, ଚଣ୍ଡିତାଳ ଗ୍ରାମର ଶିଖରଚଣ୍ଡୀ ମୁଣ୍ଡିଆ ପାଦଦେଶରେ ଏହି ପ୍ରାଚୀନ କୂଅଟି ପ୍ରାୟ ୧୨୦ ଫୁଟ ଦୈର୍ଘ୍ୟ ଓ ୩୫ ଫୁଟ ପ୍ରସ୍ଥ ଆୟତାକାର ଭୂମି ଉପରେ ଅବସ୍ଥିତ । ପୁରାତନ ନିର୍ମାଣ ଶୈଳୀରେ ମାଙ୍କଡା ପଥର ଦ୍ୱାରା ନିର୍ମିତ ଏହି କୂଅଟି ଏକ ‘step well’ ଅର୍ଥାତ ପାହାଚ ଆକାରରେ ରହିଛି । ଓଡ଼ିଶାର ଉଦୟଗିରି ବୌଦ୍ଧ ବିହାର, ଡାଳିଯୋଡ଼ା ଜଙ୍ଗଲ, ନୀଳଗିରି ରାଜପ୍ରାସାଦ, ବୈଦେଶ୍ୱର ମନ୍ଦିର ତଥା କୋଶଳେଶ୍ୱର ମନ୍ଦିର ପରିସରରେ ଏଭଳି ପ୍ରାଚୀନ କୂଅ ରହିଛି ।
କିନ୍ତୁ ଚଣ୍ଡିତାଳର ଏହି କୂଅଟି ଏ ସମସ୍ତ କୂଅଠାରୁ ବୃହତ୍ତର । ପ୍ରାୟ ୮୦ ଫୁଟ ତଳକୁ ପାହାଚରେ ଓହ୍ଲାଇ ଜଳ ସଂଗ୍ରହ କରିହୁଏ । ଆଜି ମଧ୍ୟ ଗ୍ରାମବାସୀ ଏହି କୂଅର ଜଳକୁ ବ୍ୟବହାର କରୁଛନ୍ତି । କୂଅଟିର ଖନନ ସମୟ ପାହାଡ଼ ଶିଖରରେ ପୂଜା ପାଉଥିବା ଦେବୀ ଶିଖରଚଣ୍ଡୀଙ୍କ ପୀଠରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଓଡ଼ିଶାରେ ସୋମବଂଶୀ ରାଜୁତିର ଶେଷକାଳ ଓ ଗଙ୍ଗ ରାଜୁତିର ପ୍ରାରମ୍ଭ କାଳ ହୋଇଥିବ ।
ସେହି ଅନୁଯାୟୀ ଏହି କୂପର ଖନନ ପ୍ରାୟ ୯୦୦ରୁ ୧୦୦୦ ବର୍ଷ ତଳେ ହୋଇଥାଇପାରେ ବୋଲି ଗବେଷକ ନାୟକ କହିଛନ୍ତି । ସେହିପରି ଇନ୍ଟାକ ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଚଣ୍ଡିତାଳର ଏହି ପ୍ରାଚୀନ କୂଅ ହେଉଛି ଓଡ଼ିଶା ସ୍ଥାପତ୍ୟର ଏକ ଆଶ୍ଚର୍ଯ୍ୟ । ଶହ ଶହ ବର୍ଷ ଧରି ବିନା କୌଣସି ଯତ୍ନରେ ଏହି ପ୍ରାଚୀନ ଐତିହ୍ୟ ଦୃଢ଼ତାର ସହ ତିଷ୍ଠି ରହିଛି । ଏହା ଓଡ଼ିଶାର ବୃହତ୍ତମ step well ହୋଇପାରେ ।