ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା କରି କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜିଲ୍ଲା, ବ୍ଲକ ଓ ପଞ୍ଚାୟତକୁ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଉଛନ୍ତି । କିନ୍ତୁ କିଛି ଅସାଧୁ ଜନ ପ୍ରତିନିଧି ମାନଙ୍କ ଯୋଗୁଁ ତାହା ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଯାହାଫଳରେ ଗ୍ରାମାଞ୍ଚଳର ବିକାଶ ହେବା ତ ଦୂରର କଥା, ଲୋକଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ମୌଳିକ ସୁବିଧା ଟିକକ ମଧ୍ୟ ମିଳିପାରୁନାହିଁ । ଏଭଳି ଘଟଣାର ଶିକାର ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାଣି ପଞ୍ଚାୟତ ଅନ୍ତର୍ଗତ ଫୁଲକିମୁଣ୍ଡା ଏବଂ ବାଗଡିଆ ଗ୍ରାମର ଲୋକମାନେ । ଏହି ଦୁଇଟି ଗ୍ରାମରେ ଗତ ଫେବୃଆରୀ ମାସର ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ଭତ୍ତା ସବୁ ବଣ୍ଟନ ହୋଇପାରିନାହିଁ । ସୂଚନା ଅନୁଯାୟୀ ସାହାଜପାଣି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳାମ୍ବର ମାଝୀ ହିତାଧିକାରୀ ମାନଙ୍କ ଭତ୍ତା ଟଙ୍କା ଉଠାଇ ବାଣ୍ଟିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ସେ ସମୟରେ ତାଙ୍କର ପୁତୁରାଙ୍କ ମୃତ୍ୟୁ ହୋଇଥିବା ସେ ଖବର ପାଇ ସାହାଜପାଣି ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ମାଝୀଙ୍କୁ ଭତ୍ତା ବାଣ୍ଟିବାର ଦାୟିତ୍ୱ ଦେବା ସହ ୩ ଲକ୍ଷ ୩୭ ହଜାର ଟଙ୍କା ତାଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି । ସରପଞ୍ଚ ମାଝୀ ନିଜଗାଁ ସାହାଜପାଣି ଏବଂ ସୁଲିଆବାହାଲ ଗ୍ରାମରେ ଭତ୍ତା ଟଙ୍କା ହିତାଧିକାରୀଙ୍କୁ ବାଣ୍ଟିଦେଇଥିଲେ । କିନ୍ତୁ ଫୁଲକିମୁଣ୍ଡା ଏବଂ ବାଗଡିଆ ଗ୍ରାମର ହିତାଧିକାରୀଙ୍କୁ ଭତ୍ତା ନଦେଇ ସେମାନଙ୍କ ଭତ୍ତା ଟଙ୍କା ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ହଡପ କରିନେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ହିତାଧିକାରୀମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି । ଏନେଇ ବ୍ଲକ ବିଏସ୍ଏସ୍ଓ କନିଷ୍କ ବିଭାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ହିତାଧିକାରୀମାନେ ନିଜ ଖର୍ଚ୍ଚ ପାଇଁ ଗୋଟିଏ ମାସ ଅପେକ୍ଷାରେ ରହିଥାନ୍ତି ଭତ୍ତା ଟଙ୍କା ପାଇଁ ଏବେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।
Prev Post