
- ମୁରିବାହାଲ ବ୍ଲକ ଗାଁସାଥୀ ସଂଘର ବିଡ଼ିଓଙ୍କ ନିକଟରେ ତୀବ୍ର ପ୍ରତିବାଦ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ବେଆଇନ୍ ଛଦ୍ମ ଗାଁସାଥୀ (ମେଟ୍) ମାନଙ୍କ ଦ୍ଵାରା କୋଟି କୋଟି ଟଙ୍କାର ମନରେଗା ଉନ୍ନୟନ କାର୍ଯ୍ୟ କରାଯାଉଥିବାକୁ ନେଇ ବ୍ଲକ ଗାଁସାଥୀ (ମେଟ୍) ସଂଘ ବିଡ଼ିଓଙ୍କ ନିକଟରେ ତୀବ୍ର ପ୍ରତିବାଦ କରିଛି । ବ୍ଲକ ଗାଁସାଥି (ମେଟ୍) ସଂଘ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଏକ ତିନି ଦଫା ଦାବିପତ୍ର ପ୍ରଦାନ କରି ଏହି ପ୍ରତିବାଦ କରିଥିବା ଜଣାପଡିଛି । ଦାବିଗୁଡ଼ିକ ମଧ୍ୟରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳଯୋଗାଣ ବିଭାଗର ପତ୍ର ସଂଖ୍ୟା ୬୯୬୭ ତା.୧୯/୦୪/୨୦୨୨ ଅନୁଯାୟୀ ମନରେଗା କାମରେ କେବଳ ଗାଁସାଥୀ (ମେଟ୍) ମାନେ ହିଁ ନେସନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନଏମଏମଏସ ) କାର୍ଯ୍ୟ କରିବାର ସ୍ପଷ୍ଟ ନିର୍ଦ୍ଧେଶ ରହିଛି । କିନ୍ତୁ ମୁରିବାହାଲ ବ୍ଲକରେ ରାଜ୍ୟ ସରକାରଙ୍କ ଏହି ସରକାରୀ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅଣଦେଖା କରି କିଛି ଅସାଧୁ ନିର୍ବାଚିତ ଲୋକପ୍ରତିନିଧି ବ୍ଳକର କିଛି କର୍ମଚାରୀଙ୍କୁ ହାତକରି ବେଆଇନ୍ ଭାବେ ତାଙ୍କ ନିଜ ଲୋକଙ୍କ ନାଁରେ ଏନଏମଏମଏସ ଆଇଡି ତିଆରି କରି କୋଟି କୋଟି ଟଙ୍କାର ଦୁର୍ନୀତି କରୁଥିବା ଗାଁସାଥୀ ସଂଘ ଗୁରୁତର ଅଭିଯୋଗ କରିଛି । ସେହିଭଳି ଲାଇନ୍ ଡିପାର୍ଟମେଣ୍ଟ ଗୁଡ଼ିକ ଯେପରିକି ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ୱାଟର ସେଡ୍ ଆଦି ବିଭାଗରେ ମଧ୍ୟ ହେଉଥିବା ମନରେଗା କାମରେ ଗାଁସାଥୀ (ମେଟ୍) ମାନଙ୍କୁ ନିୟୋଜିତ କରାନଯାଇ ସମ୍ପୁର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଗାଁସାଥୀ(ମେଟ୍) ମାନଙ୍କ ସେମିସ୍କିଲ ପେମେଣ୍ଟ ପାଉଣା ସଠିକ୍ ସମୟରେ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଥିଲା । ମେଟେରିଆଲ କାମ କରୁଥିବା କେତେକ ନ୍ୟସ୍ତସ୍ୱାର୍ଥ ଠିକାଦାରଙ୍କ ପ୍ରରୋଚନାରେ ଗାଁସାଥୀମାନଙ୍କୁ ସମ୍ପୁର୍ଣ୍ଣ ଅଣଦେଖା କରାଯାଇ ସଠିକ୍ ସମୟରେ ଏହି ପାଉଣା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି ।ସେହିପରି ମୁରିବାହାଲ ବ୍ଲକକୁ ଏକ ଦାଦନ ପ୍ରବଣ ବ୍ଳକ ଭାବେ ସରକାର ଘୋଷଣା କରିଥିବାରୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଗୋଟିଏ ଜବକାର୍ଡଧାରୀ ପରିବାରଗୁଡ଼ିକୁ ମନରେଗା ଯୋଜନାରେ ତିନି ଶହ ଦିନ କାମ ଯୋଗାଇ ଦେବା ପାଇଁ ନିଷ୍ପତି ହୋଇଛି । ହେଲେ ବ୍ଲକର ବହୁ ପଞ୍ଚାୟତର ମନରେଗା ଫାଇଲ କାମ ଅନୁମୋଦନ ହୋଇ ପାରୁନଥିବାରୁ ଶ୍ରମିକମାନେ ପର୍ଯ୍ୟାପ୍ତ ପରିମାଣର କାମଧନ୍ଦା ନପାଇ ଦାଦନ ଖଟିଯିବାକୁ ବାଧ୍ୟ ହେଉଥିବା ଗାଁସାଥୀ ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି । ଏହି ବେଆଇନ୍ ଛଦ୍ମ ଗାଁସାଥୀମାନଙ୍କୁ ତୁରନ୍ତ ବହିଷ୍କାର ସହ ଯଥାଶୀଘ୍ର ଅନ୍ୟାନ୍ୟ ସମାଧାନ ନ ହେଲେ ଆଗାମୀ ଦିନରେ ଗାଁସାଥୀ (ମେଟ୍) ସଂଘ ମୁରିବାହାଲ ବ୍ଳକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ଗ୍ରହଣ କରି ବିଡ଼ିଓ ବାସନ୍ତୀ ସେଠୀ ଏ ସମ୍ପର୍କରେ ତଦନ୍ତ କରାଯିବ ଓ ଚୟନ ହୋଇଥିବା ଯୋଗ୍ୟ ଗାଁସାଥୀମାନଙ୍କ ଦ୍ଵାରା ହିଁ ସମସ୍ତ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ସଂଘକୁ ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ସଂଘର ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁ, ଉପସଭାପତି ନୀଳାଦ୍ରି ଭୂଷଣ ମିଶ୍ର, କୋଷାଧ୍ୟକ୍ଷ କ୍ଷୀରସିନ୍ଧୁ ମହାକୁର, ରାଧାକାନ୍ତ ଗହିର, ନୟନୀ ବାଗ, ବ୍ରହ୍ମା ଶଙ୍କର ଗହିର, ଛନ୍ଦା ଚନ୍ଦନ, ଜଗତ ବେହେରା, ସୁଶାନ୍ତ ଭୋଇ, ସୁନ୍ଦର ପ୍ରଧାନୀ, ଜିତେନ୍ଦ୍ର କୁମ୍ଭାର, କୁନ୍ତୀ ଛୁରା, ହେମନ୍ତ ବାଗ, ମୌନାଞଳି ଦାସ, କିଶୋରୀ ତାଣ୍ଡି,ଉଦ୍ଧବ ଛୁରା, ମୋହନ ନେହୁରା, ମଞ୍ଜୁଲତା ରଣା, କୁନ୍ତଳା ବଗର୍ତ୍ତୀ,ରୋହିତ ବାଗ, ସସ୍ମିତା ବଗର୍ତ୍ତୀ, ଅଲିଭା ଦୀପ, ଲିଲି ପୁଟେଲ, ଦୁଷ୍କର ପଧାନ, ରଞ୍ଜିତ ଲୁହା, ପାର୍ଥ ଲୁହା, ଟିକେମନ ଖର୍ସେଲ, ଜଗତରାମ ଭୋଇ, ଧନଞ୍ଜୟ ମାଝୀ, ତୁଳାରାମ ଭୋଇ, ତରୁଣ ହାତୀଖୁଜିଆ, ଦେବରାଜ ରାଉତ, ଗିରିଧାରୀ ଛତ୍ରିଆ, ଜଗବନ୍ଧୁ ହଂସଙ୍କ ସମେତ ଶତାଧିକ ଗାଁସାଥୀ (ମେଟ୍) ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।