oom

ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଐତିହାସିକ ଜରାସିଂହା ଗ୍ରାମଠାରେ ବଲାଙ୍ଗିରର ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗିଆଜାମ କମିଟିର ସଭାପତି ତଥା ପରିବେଶକର୍ମୀ ପ୍ରକୃତିବନ୍ଧୁ ଗୋପାଳ ହୋତାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ଓକିଲ ସଂଘର ସଭାପତି ଅମ୍ବରିଶ ତ୍ରିପାଠୀ, ସମ୍ମାନୀତ ଅତିଥିଭାବରେ ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶିକ୍ଷାବିଦ ମନୋରଂଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟା ସୁମତି ସେଠ୍‌, ଆଇନଜୀବୀ ଭକ୍ତଚରଣ ନାଏକ, ଜରାସିଂହାର ବରିଷ୍ଠ ନାଗରିକ ଦୟାନିଧି ମେହେର ଓ ବିଏନଏଏ କ୍ଲବର ସଭାପତି କରୁଣାକର ମେହେର, କୁମାର ଷାଣ୍ଢ ଓ ଦେବପ୍ରସାଦ ମେହେର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଉପସ୍ଥିତ ଜନ ସାଧାରଣଙ୍କୁ କହିଥିଲେ । ଅତିଥି ଗଣ ତାଙ୍କ ବକ୍ତବ୍ୟରେ ଜଙ୍ଗଲ ସୁରକ୍ଷା, ବନାଗ୍ନୀ ରୋକିବା, ବନୀକରଣ କରାଇବା ଓ ସର୍ବୋପରି ଆଗାମୀ ପିଢି ପାଇଁ ପରିବେଶକୁ ସୁରକ୍ଷା କରିବା ପାଇଁ ସମସ୍ତେ ଧ୍ୟାନଦେବାକୁ ଅନୁରୋଧ କରିଥିଲେ । ଟାଙ୍ଗିଆଜାମ କମିଟିର ସଭାପତି ଏଡଭୋକେଟ ଗୋପାଳ ହୋତା ପରିବେଶ ସୁରକ୍ଷାର ଆଧ୍ୟାତ୍ମିକ ଦିଗ ଉପରେ ବକ୍ତବ୍ୟ ରଖି ମାଟି, ପାଣି, ପବନ, ଆକାଶ ଓ ଅଗ୍ନୀ ଉପରେ ଲୋକଙ୍କୁ ବୁଝାଇଥିଲେ । ବୃକ୍ଷ ଦ୍ୱାରା କିଭଳି ଜଳଚକ୍ର, ପବନଚକ୍ର ଓ ଜୀବଚକ୍ର ପରିଚାଳିତ ହେଉଛି ସେଉପରେ ଲୋକଙ୍କୁ ବୁଝାଇଥିଲେ । ବୃକ୍ଷ ହିଁ ପୃଥିବୀ ପୃଷ୍ଠରେ ଜୀବଜଗତକୁ ବଞ୍ଚାରଖି ପାରିବ ବୋଲି କହି ତାହାର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ସେହିପରି ଓଏଭିର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ସାହାରା ମରୁଭୂମୀ କିଭଳି ଏକ ଶସ୍ୟ ଶ୍ୟାମଳ ଅଞ୍ଚଳରୁ ମରୁଭୂମୀ ହେଲା,୩୦୦ ବର୍ଷ ପୂର୍ବରୁ ବିଶ୍ନୋଇମାନଙ୍କ ବୃକ୍ଷ ସୁରକ୍ଷା ପାଇଁ ବଳିଦାନ, ଚିଫକୋ ଆନ୍ଦୋଳନ ସହିତ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଉପରେ ବକ୍ତବ୍ୟ ରଖିଥିଲେ । ଠିକ ସେହିପରି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦେଓଗାଁ ଅଞ୍ଚଳବାସୀ ସୁଲିଆ ଜଙ୍ଗଲଠାରୁ ଆରମ୍ଭ କରି ଭୀମଡୁଙ୍ଗୁରୀ, ମୁରସିଂହ, କିରିବାଞ୍ଜି ଓ ଚାନ୍ଦଲି ପାହାଡ ଅଞ୍ଚଳରେ ଜନସାଧାରଣ ସଚେତନ ହୋଇ ଜଙ୍ଗଲସୁରକ୍ଷା ସାଙ୍ଗକୁ କିଭଳି ପାହାଡ ସୁରକ୍ଷା କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ । ଏହା ସହିତ ମହୋତ୍ସବ ଜରିଆରେ ଦେଓଗାଁ ଅଞ୍ଚଳରେ ଲୋକମାନେ ଜଙ୍ଗଲ ଓ ପାହାଡ ସୁରକ୍ଷା ସାଙ୍ଗକୁ ପରିବେଶ ସୁରକ୍ଷାରେ ସଫଳ ହୋଇଥିବାରୁ ତାହାକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷାବିଦ ମନୋରଞ୍ଜନ ସାହୁ ପରିବେଶ ଅସନ୍ତୁଳନ ଓ ବିଶ୍ୱତାପାୟନ ଉପରେ ବକ୍ତବ୍ୟ ରଖିଥିଲେ । ଆଇନଜୀବୀ ଅମ୍ବରିଶ ତ୍ରିପାଠୀ ଓ ଭକ୍ତବନ୍ଧୁ ନାଏକ ଟାଙ୍ଗିଆଜାମ କମିଟିର ପରିବେଶଧର୍ମି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ଦେଓଗାଁ ଓ ଜରାସିଂହା ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା, ପଞ୍ଚାୟତସମିତି ସଭ୍ୟସଭ୍ୟା, ସାମ୍ବାଦିକ ଓ ଜିଲ୍ଲାପରିଷଦ ସଭ୍ୟା ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ପାଦଧୋଇ ଉତ୍ତରିୟ ଦେଇ ପଞ୍ଚବଟି ବୃକ୍ଷ ଯଥା – ବର, ପିପ୍ପଳ, ଆମ୍ବ, ଜାମୁ ଓ ଅଁଳାଗଛ ରୋପଣ କରି ତାକୁ ଯତ୍ନନେବାକୁ ଶପଥପାଠ କରାଯାଇଥିଲା । ମହିଳାମାନେ ଭାଇଜିଉଁତିଆ ଭଳି ଜିଉଁତିଆବାନ୍ଧି ବୃକ୍ଷସୁରକ୍ଷାର ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜରାସିଂହା ସମେତ ଆଖପାଖ ଅଞ୍ଚଳର ଶତାଧିକ ପୁରୁଷଓ ମହିଳା ଯୋଗଦେଇଥିଲେ । ସୂଚନାରୁ ପ୍ରକାଶ ଯେ, ଟାଙ୍ଗିଆଜାମ କମିଟି ପକ୍ଷରୁ ପ୍ରତ୍ୟେକ ମାସ ୧ ତାରିଖରେ ଟାଙ୍ଗିଆବନ୍ଦ କରି ଗଛ ନକାଟିବାକୁ ଅନୁରୋଧ କରାଯାଉଛି । ଏହା ସହିତ ବର୍ଷା ଦିନେ ଗାଁ ଗାଁରେ ଚାରା ବଣ୍ଟନ କରାଯାଇ ବନୀକରଣକୁ ପ୍ରୋତ୍ସାହିତ କରାଯାଉଛି । ପ୍ରତିବର୍ଷ ହଜାର ହଜାର ଗଛ ଲୋକଙ୍କୁ ବଣ୍ଟନ କରାଯାଇ ଆସୁଛି । କେବଳ ସେତକି ନୁହେଁ ଗ୍ରୀଷ୍ମଦିନେ ଜଙ୍ଗଲରେ ନିଆଁ ନଲଗାଇବା, ଜଙ୍ଗଲକୁ ସୁରକ୍ଷା କରିବା, ବନ୍ୟଜନ୍ତୁଙ୍କୁ ହତ୍ୟା ନକରିବା ବିଷୟ ନେଇ ଲୋକଙ୍କ ମଧ୍ୟରେ ସଚେତନା କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏକ ଆଧ୍ୟାତ୍ମିକ ମାର୍ଗରେ ଲୋକଙ୍କୁ ବୃକ୍ଷ ଓ ପରିବେଶର ଉପକାରୀତା ବିଷୟରେ ବୁଝାଯାଉଥିବାରୁ ଲୋକଙ୍କ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉଛି ।

jittmm
Leave A Reply

Your email address will not be published.