jayashree

ଅଧପନ୍ତରିଆ ନାଳ ଓ ରାସ୍ତା ନିର୍ମାଣ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ଆଣିଲେ ୧୪ ନମ୍ବର ୱାର୍ଡ ଟାଙ୍ଗରପଡ଼ା ବାସିନ୍ଦା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ଟାଙ୍ଗରପଡ଼ା ବାସିନ୍ଦାଙ୍କ ଦୁଃଖ କହିଲେ ନ ସରେ । ଦୀର୍ଘ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପଡ଼ାବାସୀଙ୍କ ପାଇଁ ନୂତନ ରାସ୍ତା ତଥା ନାଳ ନିର୍ମାଣ ସ୍ୱପ୍ନ ପାଲଟିଛି । ଦୁଇ ମାସ ପୂର୍ବେ ଅଧାପନ୍ତରିଆ ନାଳ ନିର୍ମାଣ କରି କାମ ବନ୍ଦ ହୋଇପଡ଼ି ରହିଛି । ଯାଦ୍ୱାରା ସ୍ଥାନୀୟ ଲୋକେ ଯିବା ଆସିବା କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଘରୁ ଗାଡି କାଢିବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ଏହି ପଡ଼ାର ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର କରିବାକୁ ସ୍ଥାନୀୟ ମହିଳାମାନେ ଦାବୀ କରିଛନ୍ତି । ମହିଳାମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଟିଟିଲାଗଡ ଗୋଟିଏ ସହର ହୋଇ ମଧ୍ୟ ଗ୍ରାମାଞ୍ଚଳ ଭଳି ଜୀବନ ବିତେଇବାକୁ ପଡୁଛି । ସହରର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ବ୍ୟୟରେ ବଡ଼ ବଡ଼ ବିଲ୍ଡିଂ କୋଠା ନିର୍ମାଣ ହେଉଥିବା ବେଳେ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଭୋଟ ବେଳେ ବୁଲି ବୁଲି ଆସି ଆମେ ସବୁ ସମସ୍ୟାର ସମାଧାନ କରିଦେବୁ ବୋଲି ଚିକ୍କଣ କଥା କହି ପଳାଉଛନ୍ତି, କିନ୍ତୁ ଜିତିଲା ପରେ ତାଙ୍କର ମୁହଁ ମଧ୍ୟ ଦେଖିବାକୁ ମିଳୁନି । ପୌର ନିର୍ବାହୀ ଅଧିକାରୀ ଦୁଇ ଦୁଇ ଥର ଆସି ଦେଖି ଗଲା ପରେ ବି କିଛି ସୁଫଳ ମିଳୁନି । ତା’ହେଲେ ଲୋକ ଗୁହାରି କରିବେ କାହାକୁ ? ନିର୍ବାଚିତ ପ୍ରତିନିଧିମାନେ ତାହେଲେ କାହାର ବିକାଶ କରୁଛନ୍ତି ବୋଲି ସ୍ଥାନୀୟ ମହିଳାମାନେ ଅଭିଯୋଗ କରିବା ସହ ଯଥା ଶୀଘ୍ର ଏହି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.