
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବଗଲାବନ୍ଦ ଗାଁର ଖଇରପାଲି ପଡା ପଛପଟେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ଖଇରପାଲି ପଡାର ପର୍ଶୁରାମ ଧରୁଆଙ୍କ ପୁଅ ଲୋଚନ ଓରଫ୍ ପିଣ୍ଟୁ (୩୫ ବର୍ଷ) । ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ବୁଧବାର ସକାଳୁ ଲୋଚନ ତାଙ୍କ ଘର ଖପର ଛାଉଣୀ କରୁଥିଲେ । ବିନ୍ଦନପଦର ଗାଁରେ ଥିବା ତାଙ୍କ ବଡ ଶଳା ମଧୁଆଙ୍କ ପୁଅ ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ମଧ୍ୟାହ୍ନ ସମୟରେ ଲୋଚନ ସେମାନଙ୍କ ପାଇଁ ଡାକ୍ତରଖାନାକୁ ଖାଦ୍ୟ ନେଇ ଯାଇଥିଲେ । ପରେ ବଡ ଶଳା ଓ ଜ୍ୱାଇଁ ଦୁହେଁ ମିଶି ଭୋର ସାଢେ ୩ ଟାରେ ଲୋଚନଙ୍କ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ତାଙ୍କ ପରିବାରରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଚାଲିଥିବା ସମୟରେ ପ୍ରାୟେ ସାଢେ ୪ ଟାରେ ଲୋଚନ ଶୌଚ ପାଇଁ ପଡିଆକୁ ଯାଉଛି କହି ସେଠାରୁ ପଳାଇ ଆସିଥିଲେ । ଗୁରୁବାର ସକାଳୁ ଲୋଚନଙ୍କ ମୃତଦେହ ଗଛରେ ଝୁଲୁଥିବା ନେଇ ପରିବାରଲୋକେ ଖବର ପାଇଥିଲେ । ଖବର ପାଇ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଏସମ୍ପର୍କରେ ଅବଗତ କରାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୁଲିସ ।