ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ କଡାକଡି : ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନାର ଦ୍ୱିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଇଛି । ତଥାପି କିଛି ଅମାନିଆ କଟକଣାକୁ ଖାତିର କରୁନାହାନ୍ତି । ଏ ନେଇ ଜି.ଉଦୟଗିରି ତହସିଲଦାର ଜନ୍ମେଜୟ ସାହୁ କୋଭିଡ କଟକଣା ଉଲଙ୍ଘନ କରିଥିବା ଅଭିଯୋଗରେ ସହରର ଏକ ଘରୋଇ କ୍ଳିନିକଠାରୁ ଜରିମାନା ଆଦାୟ କରିଥିବା ବେଳେ ସ୍ଥାନୀୟ ପୋଲିସ ଏସଆଇ ବିଭୂତି ଭୂଷଣ ମୂଦୁଲି ଓ ଏଏସଆଇ ପ୍ରମୋଦ କୁମାର ଦୀପ ଟିମ ନେଇ ସହରର ଅସ୍ଥାୟୀ ପରିବା ବଜାର ନିକଟରେ ଯାଞ୍ଚ କଡାକଡି ଭାବେ କରୁଥିବାର ଦେଖାଦେଇଥିଲା । ହେଲମେଟ ଓ ମାକ୍ସ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ତଣ୍ଡ ଆଦାୟ କରିବା ସହ ସେମାନଙ୍କ ଜୀବନର ସୂରକ୍ଷା ପାଇଁ ହେଲମେଟ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ମଧ୍ୟ ସଚେତନ କରୁଥିଲେ । ପ୍ରକାଶ ଥାଉକି କିଛି ଦିନ ହେଲା ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ଯାଞ୍ଚ ସହରର ଚାରିଆଡେ ଚାଲିଥିବା ବେଳେ କେତେକ ସଚେତନ ଅମାନିଆ ମାସ୍କ ତଳକୁ କରି ଧରାପଡି ଅଯଥା ଯୁକ୍ତିକରି ତଣ୍ଡ ମଧ୍ୟ ଗଣିଥିବାର ନଜରକୁ ଆସିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କଲେ ମଧ୍ୟ ଚେଇଁ ଶୋଇଥିବା ଅମାନିଆ ବନ୍ଧୁ ଭୟାବହତାକୁ ହୃଦୟଙ୍ଗମ କରି କୋଭିଡ-୧୯ କଟକଣା ମାନିବାକୁ ଅନୁରୋଧ କରାଯାଉଛି । ତଥାପି, ଯଦି କିଏ କଟକଣା ନ ମାନନ୍ତି ତେବେ ସେମାନଙ୍କ ପ୍ରତି ପ୍ରଶାସନ କଠୋର ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.