- ଯୌତୁକ ରୂପି କଳଙ୍କର ବିଲୋପ ହେବା ଦରକାର – ଅତିରିକ୍ତ ଜିଲ୍ଲାପାଳ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୌତୁକ ଏକ ସାମାଜିକ ବ୍ୟାଧି । ଯୌତୁକ ନେବା, ଦେବା, ଯୌତୁକ ନେବାକୁ ପ୍ରବର୍ତ୍ତନ ଦେବା ବା ଯୌତୁକ ଦାବୀ ଯଥା ସମ୍ଭବ ନିବାରଣ ହେବା ଉଚିତ । ଯୌତୁକ ପାଇଁ ଝିଅଟିଏ ନିର୍ଯ୍ୟାତିତ ହୁଏ । ଶିକ୍ଷିତ ସମାଜରେ ଏଭଳି ଘଟଣା ବେଶୀ ଘଟୁଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଏହି ତାଲିମ୍ ଶିବିରରେ ଯୋଗଦେଇ କହିଥିଲେ । ଯୌତୁକ ନିର୍ଯ୍ୟାତନା ପୂର୍ବଭଳି ନାହିଁ କିନ୍ତୁ ଆଶାଜନକ ଭାବେ ହ୍ରାସ ପାଇନାହିଁ । ଯୌତୁକ ନିରୋଧ ଆଇନର ଦୂରୁପଯୋଗ ହେଉଛି ବୋଲି ଶ୍ରୀ ପୃଷ୍ଟି ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରତିଷେଧ ଅଧିନିୟମ-୧୯୬୧ ଉପରେ ଏକ କର୍ମଶାଳା ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୌତୁକ ପାଇଁ କୌଣସି ନା କୌଣସି ସ୍ଥାନରେ ବଧୂ ହତ୍ୟା, ବଧୂ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ଅପରାଧ ଘଟୁଛି । ଏହାକୁ ନିରାକରଣ କରିବା ପାଇଁ ଭାରତ ସରକାର ୨୦ ମଇ ୧୯୬୧ରେ ଯୌତୁକ ନିଷେଧ ଆଇନ୍ ଆଣିଥିଲେ ଏବଂ ଏହାକୁ ୧ ଜୁଲାଇ ୧୯୬୧ରେ ଲାଗୁ କରିଥିଲେ । ଯୌତୁକ ରୂପି କଳଙ୍କର ବିଲୋପ ହେବା ଦରକାର । ଜନସାଧାରଣ ନିଜ ନିଜ ମାନସିକତାର ପରିବର୍ତ୍ତନ କରି ପାରିଲେ ସମାଜର ପରିବର୍ତ୍ତନ ଘଟିବ ବୋଲି ଅତିରିକ୍ତ ଉପଜିଲ୍ଲାପାଳ ଭଞ୍ଜନଗର ଏହି ତାଲିମ୍ ଶିବିରରେ ଯୋଗଦେଇ କହିଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ, ଚମାଖଣ୍ଡି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମ ସମାଜରେ ଯୌତୁକ ନେବା ଓ ଦେବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏଣୁ ଏହାକୁ ଦୃଢ ଭାବେ ଦମନ କରିବା ଉଚିତ୍ । ଗ୍ରାମାଞ୍ଚଳରେ ଯୌତୁକ ନିର୍ଯ୍ୟାତନା ଅଧିକ ପରିମାଣରେ ହେଉଛି । ଗଞ୍ଜାମ ଜିଲ୍ଲାର ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସହାୟତାରେ ପ୍ରତି ପଞ୍ଚାୟତକୁ ଯୌତୁକ ନିଷେଧ ପଞ୍ଚାୟତ ରୂପେ ଗଢି ତୋଳିବା ନିମନ୍ତେ ଆଲୋଚନା କରାଯାଇଥିଲା । ସ୍ୱେଚ୍ଛାସେବୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ସଚେତନ କରାଇ ପାରିଲେ ଏହା ଅନେକ ପରିମାଣରେ କମିଯିବ । ରାଜ୍ୟ ସ୍ତରୀୟ ରିସୋର୍ସ ପର୍ସନ୍ ଦାଶରଥୀ ତ୍ରିପାଠୀ ଯୌତୁକ ଉପରେ ବିଶଦ୍ ଭାବେ ବୁଝାଇଥିଲେ । ସାମ୍ବିଧାନିକ ଅଧିକାରରେ ଯୌତୁକ ନିର୍ଯ୍ୟାତନା ପାଇଁ ଅନେକ ଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଯୌତୁକ ନେବା ଓ ଦେବା ଯେପରି ଅପରାଧ ସେହିପରି ଯୌତୁକ ପାଇଁ ଯିଏ ପ୍ରୋତ୍ସାହିତ କରୁଛନ୍ତି ସେମାନେ ବି ସେହି ପରିମାଣରେ ଅପରାଧୀ । ସେଥିପାଇଁ ଆମ ମାନସିକତାରେ ପରିବର୍ତ୍ତନ ହେବା ଦରକାର । ବର୍ତ୍ତମାନ ସମୟରେ କେତେକ ସ୍ଥାନରେ ଯୌତୁକ ବିହୀନ ଗଣ ବିବାହ ଅନୁଷ୍ଠିତ ହେଉଛି । ଯୌତୁକ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମହିଳା ହେଲ୍ପ ଲାଇନ୍ ନଂ. ୧୮୧ରେ ଓ ଜରୁରୀ କାଳୀନ ସହାୟତା ନମ୍ବର ୧୧୨ରେ ଅଭିଯୋଗ କରିପାରିବେ । ଯୌତୁକ ରୂପୀ ବ୍ୟାଧିକୁ ପ୍ରତିହତ କରିବା ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ ହେବା ଉଚିତ୍ । ପ୍ରଚାର ପ୍ରସାର ମାଧ୍ୟମରେ, ସ୍ୱେଚ୍ଛାସେବୀ ସଂଗଠନ, ଧାର୍ମିକ ଅନୁଷ୍ଠାନ, ମୁଖ୍ୟ ପୁରୋଧାଙ୍କ ଜରିଆରେ ଏହାକୁ ବନ୍ଦ କରିବା ଉଚିତ୍ । କୌଣସି ବିବାହିତା ମହିଳାଙ୍କର ବିବାହର ସାତ ବର୍ଷ ମଧ୍ୟରେ ଅସ୍ୱାଭାବିକ ମୃତ୍ୟୁ ହେଲେ ବିବାହ ଦିନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପ୍ରତି ଶାରିରୀକ କିମ୍ବା ମାନସିକ ନିର୍ଯ୍ୟାତନା କରାଯାଉଥିବା ଚିଠି ପତ୍ର କିମ୍ବା ମୌଖିକ ସାକ୍ଷ୍ୟ ଥିଲେ ଏହାକୁ ଯୌତୁକ ଜନିତ ହତ୍ୟା ବୋଲି ବିବେଚନା କରାଯିବ । ଯୌତୁକ ଦାବୀ କରିବା, ଯୌତୁକ ଦେବା କିମ୍ବା ଯୌତୁକ ଦେବା ନେବାରେ ମଧ୍ୟସ୍ଥତା କରିବା ଆଇନ ଅନୁଯାୟୀ ଅପରାଧ ଅଟେ । ଏଥିପାଇଁ ସର୍ବାଧିକ ପାଞ୍ଚ ବର୍ଷ ଜେଲ ଦଣ୍ଡ ବା ୧୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି । ସେହିପରି ଯୌତୁକର ମୂଲ୍ୟ ପରିମାଣ ଏ ଦୁଇଟି ମଧ୍ୟରୁ ଯେଉଁ ପରିମାଣ ଅଧିକ ହେବ ସେହି ପରିମାଣ ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡନୀୟ ହେବେ । ଏହି କର୍ମଶାଳାରେ ଜିଲ୍ଲା ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ ଡି. ନାଗରତ୍ନମ୍, ସିଡିପିଓ ପ୍ରଣମିତା ପଣ୍ଡା, ଉପ ନିବନ୍ଧକ କନିଷି ଚିତ୍ରସେନ ଦଳାଇ, ଉପ ନିବନ୍ଧକ ଛତ୍ରପୁର ଅଭିଷେକ ସାହୁ, ଅତିରିକ୍ତ ଉପ ନିବନ୍ଧକ, ପୁରୁଷୋତ୍ତମପୁର, ମହିଳା ଓ ଶିଶୁ ସହାୟତା କେନ୍ଦ୍ର ଛତ୍ରପୁର ସବ୍ ଇନିସ୍ପେକ୍ଟର, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡ. ପ୍ରାନ୍ତ ପାତ୍ର, ସମସ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଛତ୍ରପୁର ଓ ଖଲ୍ଲିକୋଟ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ, ଛତ୍ରପୁର ଓ ଗଞ୍ଜାମ ଗ୍ରାମ ପଞ୍ଚତାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ, ଛତ୍ରପୁର, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଖଣ୍ଡର ପ୍ରୋଗ୍ରାମ ଅଫିସର, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଗଣ, ପୁରୋହିତ, ଫାଦର, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଛତ୍ରପୁରର ଛାତ୍ରଛାତ୍ରୀଗଣ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମହିଳା ସଶକ୍ତି କରଣ ଉପ ବିଭାଗ ଏହି ତାଲିମ ଶିବିରର ଆୟୋଜନ କରିଥିଲେ । ଜିଲ୍ଲା ସଂଯୋଜିକା ଗୀତାଞ୍ଜଳି ମହାରଣା, ଲିଙ୍ଗ ବିଶେଷଜ୍ଞ ସମ୍ବଳ ଓ ସାମର୍ଥ୍ୟ ତଥା କର୍ମଚାରୀ ବୃନ୍ଦ ସମସ୍ତ ପ୍ରକାର ସହଯୋଗ କରିଥିଲେ ।