ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ର ଧନୁଷ ୫.୦ର ପ୍ରଚାର ପ୍ରସାର ପାଇଁ ଲୋକ କଳାକାରମାନଙ୍କ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଶିବିର ଏବଂ ୟୁନିସେଫ ସହଭାଗିତାରେ ବିଭିନ୍ନ ବ୍ଲକରୁ ୫୦ଜଣ କଳାକାରଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଛି । କଳାକାରମାନେ ନିଜସ୍ଵ ଢଙ୍ଗରେ କବିତା ଲେଖି ୫ବର୍ଷରୁ କମ୍ ବୟସ୍କ ପିଲାମାନଙ୍କର ଟିକାକରଣ ପାଇଁ ସଚେତନତା ସୃଷ୍ଟି କରିବେ । ଏହା ଦ୍ଵାରା ଅଭିଭାବକମାନେ ଟିକାକରଣର ଗୁରୁତ୍ଵ ବାବଦରେ ଶିକ୍ଷଣୀୟ ହେବେ । ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ସଭାପତିତ୍ଵରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଛି । ମିଶନ ଇନ୍ଦ୍ର ଧନୁଷ ୫.୦ ଦ୍ଵାରା ରାଜ୍ୟର ୩୧୪ ବ୍ଲକରେ ୧,୦୪,୨୬୧ ଜଣ ଏବଂ ୧୯,୮୯୬ ଜଣ ପ୍ରସୂତିଙ୍କୁ ଟୀକା ଦିଆଯିବ । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୧ ତାରିଖରୁ ୧୬ ତାରିଖରେ ଶେଷ ହୋଇଛି । ପରବର୍ତ୍ତୀ ଧାର୍ଯ୍ୟ କାର୍ଯ୍ୟକ୍ରମ ଅକ୍ଟୋବର ୦୯ ତାରିଖରୁ ୧୪ ତାରିଖ ଏବଂ ନଭେମ୍ବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୀକାକରଣ ହେବ । ଜନ୍ମରୁ ୨ ବର୍ଷ ଯାଏଁ ୫୪୩୮ଜଣ, ୨ରୁ ୫ ବର୍ଷ ଯାଏଁ ଶିଶୁଙ୍କୁ ୫୦୩ ଜଣ ଏବଂ ଗର୍ଭବତୀ ମହିଳାଙ୍କୁ ୧୦୦୯ ଜଣଙ୍କୁ ଟୀକା ଦେବାକୁ ଲକ୍ଷ ରଖାଯାଇଛି । ଜିଲ୍ଲାର ୩୪ଟି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯିବ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧା ବାର୍ଲା, ଡାକ୍ତର ସୁଗତା ରୟ, ଡାକ୍ତର ଅନିଲ ପଟ୍ଟନାୟକ, ଚକ୍ରଧର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Prev Post