ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ଦିନିକିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିର ସ୍ଥିତ ସଭାଗୃହରେ ଗ୍ରୀଷ୍ମ ପ୍ରବାହ ଜନିତ ପରିଚାଳନା ସମ୍ପର୍କୀୟ ଦିନିକିଆ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ତାଙ୍କର ନିଜ ନିଜ କ୍ଷେତ୍ରରେ କିପରି ଉଚିତ୍‌ ପଦକ୍ଷେପ ନେଇ ଜନସାଧାରଣମାନଙ୍କ ପାଖରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ସେହି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ତାଲିମ ଶିବିରରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂହ ଲାଗୁରି, ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଜିଲ୍ଲା ସଦର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ରୀନା କୁମାରୀ ନାଏକ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡା ଉପରେ ପ୍ରାଞ୍ଜଳ ଭାବରେ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି ସା, ଜିଲ୍ଲା ବିପର୍ଯ୍ୟୟ ବିପଦ ହ୍ରାସ ପରାମର୍ଶଦାତା ବିକାଶ ରଞ୍ଜନ କର, ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ଓ ଚିକିତ୍ସା ଅଧିକାରୀ ଡକ୍ଟର ନମିତା ମିଶ୍ର ଅତି ପ୍ରାଞ୍ଜଳ ଭାବରେ ବିପର୍ଯ୍ୟୟ ପରିଚାଳନା ଓ ଗ୍ରୀଷ୍ମ ପ୍ରବାହ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ଦିନିକିଆ ତାଲିମ ଶିବିରରେ ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତହସିଲଦାର ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ମୁଖ୍ୟମାନେ ଯୋଗଦେଇ ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ନିଜ ସ୍ତରରେ ଉଚିତ ପଦକ୍ଷେପ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଆଲୋଚନା କରିଥିଲେ । ଏହି ତାଲିମ ଶିବିରରେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାରୁରୀ କାଳୀନ ଶାଖାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ତାଲିମ ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରିଣୀ ଶ୍ରୀମତି ଗୀତାଞ୍ଜଳି ସା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.