ନିର୍ବାଚନ କାର୍ଯ୍ୟ ପରିଚାଳନା କର୍ମଚାରୀଙ୍କ ଭୋଟ ଗଣତି ସମ୍ପର୍କିତ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟ ନେଇ ଏକ ତାଲିମ ଶିବିର ଗତକାଲି ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ତହସିଲଦାର ନିବେଦିତା ପରିଡାଙ୍କ ତତ୍ତ୍ୱାବଧାନରେ ପରିଚାଳନାରେ ଏହି ତାଲିମ ଶିବିରରେ ଉପସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ବିଜ୍ଞାନାଗାର ତତ୍ତ୍ୱାବଧାରକ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ସିଆର୍‌ସିସି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ବ୍ଲକ କର୍ମଚାରୀମାନଙ୍କୁ ଭୋଟ ଗଣତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଭୋଟ ଗଣତି ସମୟରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବାକୁ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭୋଟ ଗଣତି ସମୟରେ ଶୃଙ୍ଖଳାରକ୍ଷା କରିବା, ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା, ଭୋଟ ଗଣତି ସମ୍ପର୍କିତ ସମସ୍ତ ତଥ୍ୟ ଗୁପ୍ତ ରଖିବା, ନିର୍ବାଚନ ଅଧିକାରୀଙ୍କ ଅଜ୍ଞାତରେ ଭୋଟ ଗଣତି ସମ୍ପର୍କିତ କୌଣସି କାର୍ୟ୍ୟ ଉପରେ ନିଜସ୍ୱ ନିଷ୍ପତ୍ତି ଗ୍ରହଣ କରିବା ଆଦି ବେଆଇନ ବୋଲି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ସମସ୍ତଙ୍କୁ ଅବଗତ କରିଥିଲେ । କୌଣସି ଭୋଟ ଅଗ୍ରାହ୍ୟ କ୍ଷେତ୍ରରେ ନିରପେକ୍ଷ ଭାବେ ସତର୍କତା ଅବଲମ୍ବନ କରିବା ସହ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ତହସିଲଦାର ପରାମର୍ଶ ଦେଇଥିଲେ । କ୍ରମାନ୍ଵୟରେ ୱାର୍ଡ଼ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଭୋଟ ଗଣତି ହେବ ବୋଲି ଜିପିଇଓ ଶ୍ରୀ ସାହୁ କହିଥିଲେ । ଭୋଟ ଗଣତି ବେଳେ କୌଣସି ପ୍ରାର୍ଥୀଙ୍କ ଭୋଟ ସହ ଅନ୍ୟ ପ୍ରାର୍ଥୀଙ୍କ ଭୋଟ ସମାନ ହେଲେ ସେ କ୍ଷେତ୍ରରେ ଗୁଳା ପଡିବା ପରେ ଫଳାଫଳ ଚୂଡାନ୍ତ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ସେହିପରି ପୁନଃଗଣତି ଅବଧି ଅତିକ୍ରମ କରିବା ପରେ ଆଉ ଥରେ ଭୋଟ ପୁନଃଗଣତି ପାଇଁ କୌଣସି ପ୍ରାର୍ଥୀଙ୍କ ଅନୁରୋଧ ଗ୍ରହଣୀୟ ନୁହେଁ ବୋଲି ନିର୍ବାଚନ ଅଧିକାରୀ ସତର୍କ କରାଇ ଦେଇଥିଲେ । ତେବେ ସମସ୍ତ କ୍ଷେତ୍ରରେ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ଚୂଡାନ୍ତ ବୋଲି ଜିପିଇଓ ଶ୍ରୀ ସାହୁ କହିଥିଲେ । ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.