ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭା କକ୍ଷରେ ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ଉପଖଣ୍ଡର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ନିଜର ଗୁରୁଦାୟିତ୍ୱ ସମ୍ପାଦନ ପାଇଁ ଉତ୍ସାହିତ କରିଥିଲେ । ଭାରତୀୟ ଗଣତନ୍ତ୍ରରେ ପ୍ରତିଟି ଭୋଟ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରି ଯେପରି ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପାରିବ ସେ ଦିଗରେ ବିଶେଷ ଭାବରେ ଧ୍ୟାନ ଦେଇ ଦାୟିତ୍ଵ ନିର୍ବାହ କରିବାକୁ ସମସ୍ତଙ୍କୁ ଶ୍ରୀ କୁମ୍ଭାର ନିର୍ଦ୍ଦେଶ ଦେଇଥିଲେ ।

ଆଗାମୀ ଦିନରେ ‘ଇଲୋକ୍ଟୋରାଲ୍ ଲିଟ୍ରେସି କ୍ଲବ୍’ ଗଠନ କରାଯାଇ ଭୋଟଦାନର ଅଧିକାର ବାବଦରେ ସଚେତନତା ସୃଷ୍ଟି କରାଯିବ । ମହାବିଦ୍ୟାଳୟ ଓ ବିଦ୍ୟାଳୟମାନେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରି ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିପାରିବେ । ପଦ୍ମପୁର ଉପଖଣ୍ଡର ପ୍ରତିଟି ନୂଆଁ ଭୋଟର ଯେପରି ଭୋଟର ତାଲିକାରେ ଯୋଡ଼ିହେବେ ଓ ଭୋଟଦାନ କରି ନିଜର ଗଣତାନ୍ତ୍ରିକ ଦାୟିତ୍ଵ ନିର୍ବାହ କରିବେ ସେ ଉପରେ ଉପଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ । ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ଯେପରି କଟାଯାଇ ପାରିବ ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇ ‘ଭୋଟର୍ ହେଲ୍ପଲାଇନ୍’ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ କିଭଳି ଭାବରେ ଜନସାଧାରଣ ନିଜେ ନିଜ ପରିବାରର ସବିଶେଷ ବିବରଣୀ ଦେଇପାରିବେ ସେ ପ୍ରକ୍ରିୟାକୁ ମଧ୍ୟ ସମସ୍ତଙ୍କୁ ପାୱାରପଏଣ୍ଟ ମାଧ୍ୟମରେ ଦର୍ଶା ଯାଇଥିଲା । ଏହି ଅବସରରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ ଯୋଗଦେଇ ଏହି ଇଲୋକ୍ଟୋରାଲ୍ ଲିଟ୍ରେସି କ୍ଲବ୍‌ର ଗୁରୁତ୍ବ ଓ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ତୁଷାରକାନ୍ତ ପଧାନ ପାୱାର୍ ପଏଣ୍ଟ ମାଧ୍ୟମରେ ଏହି ପ୍ରକ୍ରିୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ ।

Leave A Reply

Your email address will not be published.