ଛତ୍ରପୁରରେ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ତାଲିମ ଅଭିଯାନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂସ୍ଥାନ ନେହେରୁ ଯୁବକେନ୍ଦ୍ର ଓ ଛତ୍ରପୁରର ଅଗ୍ରଣୀ କ୍ୟୁୟର୍ସ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ଜାଗରଣ ଅଭିଯାନ ଉପରେ ଏକ ତାଲିମ ସେବା ଯୁବକମାନଙ୍କୁ ପ୍ରଦାନ କରାଯାଇଅଛି । ଛତ୍ରପୁର ପ୍ରତିଭା ଆବାସିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ୟୁୟର୍ସ ସଂଗଠନର ସମ୍ପାଦକ ଅରୁଣ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହି ତାଲିମ ସେବାରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ଵ ପାଇଁ ବର୍ତ୍ତମାନ ଜଳ ସଂରକ୍ଷଣର ଆବଶ୍ୟକତା ଜରୁରୀ ଅଟେ ଏବଂ ଜଳର ଅପଚୟ ରୋକିବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ଶ୍ରୀ ବେହେରା ଆଲୋକପାତ କରି କହିଥିଲେ । ସମାଜସେବୀ ପ୍ରଫୁଲ୍ଲ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜେ କରିଥିବା ବର୍ଷା ଜଳ ସଂରକ୍ଷଣର ଅନୁଭୂତି ଉପରେ ସେ ଉପସ୍ଥାପନା କରିଥିଲେ । ପ୍ରତିଭା ମହାବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ମୟ ଦାସ ଜଳ ସଂରକ୍ଷଣ ଓ ସୁରକ୍ଷା ଦିଗରେ ଯୁବକଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ନେହୁରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଅକ୍ଷୟ ନିପାନେ ଅଭିଯାନର ଲକ୍ଷ୍ୟ ଦିଗରେ ଆଲୋକପାତ କରିଥିଲେ । ଏହି ତାଲିମରେ ଶତାଧିକ ଯୁବକ ଅଂଶଗ୍ରହଣ କରିଥିବା ବେଳେ ଧର୍ମେନ୍ଦ୍ର ବେହେରା, ସୋନୁ ପ୍ରସାଦ ଦାସ, ରାମଚନ୍ଦ୍ର ପଢିଆରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.