jayashree

ଜୁନିଅର ରେଡ଼କ୍ରସ କାଉନସିଲରଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟରେ ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକର ଜୁନିଅର ରେଡ଼କ୍ରସ କାଉନସିଲରମାନଙ୍କୁ ନେଇ ଏକ ଦିବସୀୟ ତଥ୍ୟ ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଶିବିରକୁ ଉଦ୍‌ଘାଟନ କରିବା ସହ ରେଡ଼କ୍ରସରେ ସାମିଲ ହୋଇ ସମର୍ପିତ ତଥା ସେବା ମନୋଭାବରେ କାର୍ଯ୍ୟ କରି ଜିଲ୍ଲାର ନାଁକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରମହାରାଜପୁର ଶାନ୍ତନୁ କୁମ୍ଭକାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ମାର୍କଣ୍ଡ ମିଶ୍ର, ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର ପ୍ରମୁଖ ଯୋଗଦାନ କରି ସେବା ମନୋଭାବରେ ବ୍ରତୀ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଉଭୟ ଉଲୁଣ୍ଡା ଓ ବୀରମହାରାଜପୁରର ବିସିସି ପ୍ରହଲ୍ଲାଦ ନାୟକ, ବଳରାମ ପୁରୋହିତ, ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ, ଚନ୍ଦ୍ରଶେଖର ମହାପାତ୍ର, ହୃଷିକେଶ ଚାନ୍ଦ, ଜଗଦୀଶ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଉଭୟ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରୁ ଜଣେ ଲେଖାଏଁ ମାର୍ଗଦର୍ଶକ ଯୋଗଦାନ କରିଥିବା ବେଳେ ନୂତନ ଭାବେ ୨୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାର୍ଗଦର୍ଶକ ଯୋଗଦାନ କରି ତାଲିମ ଗ୍ରହଣ କରିଥିଲେ । ଚଳିତ ବର୍ଷ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ସମେତ ୬୦ଟି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜୁନିଅର ରେଡ଼କ୍ରସରେ ସାମିଲ କରି ମାନବୀୟ ସେବାରେ ବ୍ରତୀ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଲକ୍ଷ୍ୟ ରଖିଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ରାଧାକାନ୍ତ ଗଡତିଆ ଓ ଉପସଭାପତି ଗତିକୃଷ୍ଣ ମିଶ୍ର ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାର୍ଗଦର୍ଶନରେ ଏହା ସମ୍ଭବ ହେବ ବୋଲି ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀ ପଶାୟତ ମତ ପ୍ରକାଶ କରିଛନ୍ତି । ଏହି ତାଲିମ ଶିବିର ବ୍ୟତୀତ ଆଜି ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ଓ ବିଶିପଡା ଉଚ୍ଚ ବିଦ୍ୟାଳୟରେ ୩୧ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ୟୁନିଟ ଗଠିତ ହୋଇଛି ।

Leave A Reply

Your email address will not be published.