ମାର୍ଚ୍ଚ ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସମାପ୍ତି କରିବାକୁ ମନ୍ତ୍ରୀଙ୍କ ତାଗିଦ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏବଂ ଏହାର ସୀମାନ୍ତ ପୁରୀ ଜିଲ୍ଲାର ପାରିକୁଦ ଓ ମାଲୁଦ ଅଞ୍ଚଳରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ବହୁପ୍ରତିବନ୍ଧକ ଦେଖାଦେଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲା ଏବଂ ଏହାର ସୀମାନ୍ତବର୍ତ୍ତୀ ପୁରୀ ଜିଲ୍ଲାର ପାରିକୁଦ ଓ ମାଲୁଦ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଅଧିକାଂଶ ସମୟରେ ବିଚ୍ଛିନ୍ନ ରହୁଛି ଏବଂ ପ୍ରାୟତଃ ଅଧିକାଂଶ ସମୟରେ ସ୍ଵଳ୍ପ-ବିଦ୍ୟୁତ୍ ଯୋଗାଣ ଅବା ଲୋ-ଭୋଲ୍ଟେଜ୍ ରହୁଥିବା ହେତୁ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅନିୟମିତତା ତଥା ଅବ୍ୟବସ୍ଥା ରହୁଥିବା ସାଧାରଣରେ ଅଭିଯୋଗ ହୋଇଥିବା ମନ୍ତ୍ରୀଙ୍କ ନଜିର ରହିଛି । ଏ ସମ୍ପର୍କରେ ବିଦ୍ୟୁତ୍ ବିତରଣ ବିଭାଗକୁ ଚେତାବନୀ ଦିଆଯାଇଛି । ପାନୀୟଜଳ ପ୍ରକଳ୍ପ ସାଂଗକୁ ଅନ୍ୟ ବିବିଧ ପ୍ରକଳ୍ପ ଗୁଡ଼ିକ ଅଧାପନ୍ତାରିଆ ପଡ଼ି ରହିଥିବା ଜଣାପଡିଛି । ତେଣୁ ଅଧିକାରୀ, ଯନ୍ତ୍ରୀ ଏବଂ ଏଜେନ୍ସି ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏବଂ କାର୍ଯ୍ୟ ନିଷ୍ଠାର ଅଭାବ ଘଟିଥିବା ନେଇ ଦୀର୍ଘ ଦିନ ହେଲା ଲୋକେ ପାଣି ପାଇପାରୁନାହାନ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଉଦବେଗ ପ୍ରକାଶ କରିଛନ୍ତି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପରିସମାପ୍ତି କରିବାକୁ ମନ୍ତ୍ରୀ ତାଗିଦ୍ କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ମହକୁମାସ୍ଥ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗୁରବାର ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ବିଭାଗୀୟ ଉଚ୍ଚପଦାଧିକାରୀ, ଯନ୍ତ୍ରୀ ଓ ଏଜେନ୍ସିଙ୍କୁ ତାଗିଦ୍ କରିଛନ୍ତି । ସର୍ବୋପରି ଏହି ବୈଠକରେ ଗଞ୍ଜାମ ଜିଲ୍ଲାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ପ୍ରଧାନମନ୍ତ୍ରୀ ଜନମନ, ସ୍ୱଚ୍ଛ ଭାରତ ମିଶନ – ଗ୍ରାମୀଣ (ଏସ୍‌ବିଏମ୍ – ଜି) ଅନ୍ତର୍ଗତ ବାହ୍ୟ ମଳମୁକ୍ତ ଗ୍ରାମ, ରାସ୍ତା, ପୋଲ, ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଏକ ସମୀକ୍ଷା କରିଥିଲେ । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂକଳ୍ପ ବଦ୍ଧ । ଗଂଜାମ ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ନାଏକ ସନ୍ତୋଷ ବ୍ୟକ୍ତ କରିବା ସହିତ ଲବଣାକ୍ତ ଜଳ ଯୋଗୁଁ ଜିଲ୍ଲାରେ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ସୁବଳ, ସୁନାପୁର ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ପାନୀୟ ଜଳ ପ୍ରକଳ୍ପଗୁଡିକୁ ୨/ ୩ ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ ସମ୍ପୃକ୍ତ ଏଜେନ୍ସି ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସମ୍ପୃକ୍ତ ଏଜେନ୍ସି ମାନଙ୍କୁ ଚେତାବନୀ ଦେଇଛନ୍ତି । ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବାହ୍ୟ ମଳମୁକ୍ତ ଗ୍ରାମ ସମ୍ପର୍କରେ ସମୀକ୍ଷା କରି ସେ ସନ୍ତୁଷ୍ଟି ପ୍ରକାଶ କରିବା ସହିତ ଗାଁ ଗୁଡିକୁ କିପରି ପଲିଥିନ ମୁକ୍ତ କରାଯାଇପାରିବ ସେ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଭଳି ପ୍ରୟାସ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଖୁବ ଶୀଘ୍ର ଏକ ଦଳ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ସେ ସମ୍ପର୍କିତ ପଦକ୍ଷେପ ବିଷୟରେ ଅବଗତ ହେବେ । ସେହିପରି ଗ୍ରାମୀଣ ଆବାସ ଯୋଜନା ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ପକ୍କା ଘର ଯୋଗାଇଦେବାକୁ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଗଞ୍ଜାମ ଜିଲ୍ଲାର ୧୫୦ ଜନସଂଖ୍ୟା ବିଶିଷ୍ଟ ୧୬ଟି ଦୂରବର୍ତ୍ତୀ ଗାଁକୁ ଆସନ୍ତା ବର୍ଷ ସୁଦ୍ଧା ରାସ୍ତା ପହଂଚିବ । ଏହାର ଡିପିଆର ପ୍ରସ୍ତୁତ ଚାଲିଛି । ଖୁବଶୀଘ୍ର ରାସ୍ତା ନିର୍ମାଣ ହେବ ଏବଂ ଜନସାଧାରଣ ଉପକୃତ ହେବେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ କିପରି ଅଧିକରୁ ଅଧିକ ଲୋକ କାମ କରିବେ ଓ ଶ୍ରମିକ କାର୍ଡ ନବୀକରଣ ଉପରେ ପ୍ରାଧାନ୍ୟ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ବରିଷ୍ଠ ବିଭାଗୀୟ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.