– ହାତୀମୃତ୍ୟୁର ରହସ୍ୟ ଖୋଲିବ କି ?
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତର ସିମିଲିପଦର ନିକଟସ୍ଥ ମୁଣ୍ଡୁଟି ଜଙ୍ଗଲରେ ଏକ ହାତୀ ଜାନୁୟାରୀ ୫ ତାରିଖରେ ମୃତ୍ୟୁ ବରଣ କରିଥିବା ବେଳେ ଏହା ଲୋକ ଲୋଚନକୁ ନ ଆସିବା ଏବଂ ଏହାର ତଦନ୍ତ ପାଇଁ କୌଣସି ଅଧିକାରୀ ନ ଆସିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଏହି ଘଟଣା ଜଙ୍ଗଲ ମଧ୍ୟରେ ନ ରହି ବାହାରକୁ ଆସିଲା । ସେଥିରୁ ଜଣାପଡ଼ିଲା ହାତୀଟିର ମୃତ ଦେହ ସେହି ସ୍ଥାନରେ ନ ରଖି ତାହାକୁ ଖଣ୍ଡ ଖଣ୍ଡ କରି ଜରୀ ଅଖାରେ ଭର୍ତ୍ତି କରି ଏକ ପିକ୍ପପରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଥିଲା । ମୃତ ହାତୀକୁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ରଫା ଦଫା କରିବା ପାଇଁ ବନ ବିଭାଗର କିଛି ଅଧିକାରୀ ମସୁଧା କରୁଥିବା ଜଣାପଡିଛି । ଏ ନେଇ ତୁମୁଡିବନ୍ଧ ରେଞ୍ଜରଙ୍କ ଠାରୁ ଆରମ୍ଭ କରି ବାଲିଗୁଡା ଡିଏଫଓ କେହିବି ଘଟଣା ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତିଁ କି ଅଭିଯୋଗ ପରେ ମଧ୍ୟ ଘଟଣା ସ୍ଥଳକୁ କେହିବି ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସମ୍ପର୍କରେ ଗଣ ମାଧ୍ୟମ ପ୍ରତିନିଧିମାନେ ପଚାରିବା ପରେ ବେଲଘର ଡିଏଫଓ ଘନଶ୍ୟାମ ମହାନ୍ତଙ୍କ ସହ ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ବାଗ, ବେଲଘର ରେଞ୍ଜ ଅଫିସରେ ପହଞ୍ଚିଛନ୍ତି । ବେଲଘର ରେଞ୍ଜର ବିନୟ କୁମାର ବିଶି, ଫରେଷ୍ଟର ବୁଦ୍ଧଦେବ କହଁରକୁ ପଚରା ଉଚରା କରିଥିବା ଜଣାପଡିଛି । ତେବେ ତଦନ୍ତ କରି ଅଧିକାରୀମାନେ ଫେରିଛନ୍ତି । ତଦନ୍ତ ରିପୋର୍ଟରେ ହାତୀ ମୃତର ସତ୍ୟ ଖବର ଉପରୁ ପରଦା ହଟିବ ନା ମିଳିମିଶି ଘଟଣା ନିଜ ଅଧିକାରୀଙ୍କୁ ବଞ୍ଚାଇ ଦିଆଯିବ, ତାହାକୁ ନେଇ ଏବେ ଆଲୋଚନାର ବିଷୟ ପାଲଟିଛି । ପରିବେଶବିତ କହିଛନ୍ତି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ରହିଛି ନ ହେଲେ ନିଜ କର୍ମଚାରୀ ଡାହାଣୀ ନିଜ ଅଧିକାରୀ ଗୁଣିଆ ହୋଇ ଘଟଣାକୁ ଚାପି ଦିଆଯିବ । ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।