
ବଲାଙ୍ଗିର ସୁଦ୍ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କଲେ ବରିଷ୍ଠ ଆଇନଜୀବୀ ତଥା କୋଶଲ୍ବାଦୀ ନେତା ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସୁଦ୍ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା କୋଶଲ୍ବାଦୀ ନେତା ପ୍ରମୋଦ କୁମାର ମିଶ୍ର । ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଶ୍ରୀ ମିଶ୍ର କହିଛନ୍ତି ଯେ, ବିଗତ ଦଶ ବର୍ଷରୁ ବଲାଙ୍ଗିର ବଡ଼ ବଡ଼ ଘୋଟାଲାକୁ ନେଇ ବଦ୍ନାମ୍ ହୋଇ ଆସୁଛି । ଫେକ୍ ସାର୍ଟିଫିକେଟ୍ ସ୍କାମ୍, ଜମି ଘୋଟାଲା, କଫ୍ ସିରପ୍ ଚୋରା ଚାଲାଣ, ଗଂଜେଇ ଚାଲାଣ, ହେରୋଇନ୍ ଚରସ୍ ଘୋଟାଲା ଭଳି ଅନେକ ଘୋଟାଲା ବଲାଙ୍ଗିରରେ ଲାଗି ରହିଛି । ଏପରିକି ବଲାଙ୍ଗିରରେ ବଡ଼ ବଡ଼ ଅପରାଧ ମଧ୍ୟ ଘଟୁଛି । ଏଭିତରେ ବଲାଙ୍ଗିର ସୁଦ୍ପଡ଼ା ମଦଭାଟିରୁ ସାଢେ଼ ତିନି ଶହ ଚାରି ଶହ କୋଟି ବିଡ଼ା ବିଡ଼ା ଟଙ୍କା ବାହାରିବା ଆହୁରି ଏକ ଜଟିଳ ଘଟଣା । ଗୋଟିଏ ମଦଭାଟିକୁ ଲୋକେ ତିରିଶ ଚାଳିଶ ଟଙ୍କା ଦେଇ ମଦ ପିଇବାକୁ ଯାଉଥିବା ବେଳେ ଏଠାରେ ଶହ ଶହ କୋଟି ବିଡ଼ା ବିଡ଼ା ପାଞ୍ଚ ଶହ ଟଙ୍କିଆ ନୋଟ୍ କିଭଳି ବାହାରିଲା ବୋଲି ପ୍ରଶ୍ନ କରିଛନ୍ତି କୋଶଲବାଦୀ ନେତା ଶ୍ରୀ ମିଶ୍ର । ଏହା ମଦ ଭାଟିର ଟଙ୍କା ନା’ କୌଣସି ପ୍ରଭାବଶାଳୀ ରାଜନେତାଙ୍କ ଟଙ୍କା, ଏ ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା, ବଲାଙ୍ଗିରର ପ୍ରଭାବଶାଳୀ ରାଜନେତାମାନେ ଏ ବାବଦରେ ସଂପୂର୍ଣ୍ଣ ଚୁପ୍ ଥିବା ଏହି ଘଟଣାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଉଥିବା ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର । ତେବେ ଏ ଦିଗରେ ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଇଡ଼ି ଓ ସିବିଆଇ ସଂସ୍ଥାକୁ ଦେବା ସହ ରାଜ୍ୟ ସରକାର କ୍ରାଇମ୍ ବ୍ରାଂଚକୁ ତଦନ୍ତରେ ନିୟୋଜିତ କରିବା ଉଚିତ ବୋଲି ସେ କହିଛନ୍ତି ।