କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତେନ୍ତୁଳିକୁପା ଗ୍ରାମର ଜଣେ ବିବାହିତ ଯୁବକ ସୁଦାମ ଭୋଇ(୨୬)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରୁ ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝି ଫେରାର ମାରିଥିବା ବେଳେ ମ.ରାମପୁର ପୋଲିସକୁ ବୁଝାଇବାକୁ ନାକେଦମ୍ ହେବାକୁ ପଡ଼ିଥିଲା । ଶେଷରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ପୋଷ୍ଟ ମଷ୍ଟମ୍ କରିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବୀ କରି ଆଜି ବି ତଦନ୍ତକାରୀ ଟିମ୍ କେସିଙ୍ଗା ଏସ୍ଡିପିଓ ୟସ ପ୍ରତାପ ଶ୍ରିମଳ ଏବଂ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କୁ ଦାବୀ କରିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ୪ଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଜଣାପଡିଛି । ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ ।
ମିଳିଥିବା ସୂଚନା ଅନୁସାରେ ରିଷିଡା ପୋଲିସ କିଛି ଦିନ ତଳେ ଏକ ମାମଲାର ତଦନ୍ତ ପାଇଁ ସୁଦାମ ଭୋଇଙ୍କୁ ଘରୁ ଉଠାଇ ନେଇଥିଲା । ତେବେ ପୋଲିସ ଅଟକ ରଖି ପଚରା ଉଚୁରା କରି ତାଙ୍କୁ ଛାଡି ଦେଇଥିବା ବେଳେ ସେହିଦିନଠାରୁ ସେ ଆଉ ଘରକୁ ଫେରି ନ ଥିଲେ । ବହୁତ୍ ଖୋଜା ଖୋଜି କରିବା ପରେ ମଧ୍ୟ ମିଳି ନ ଥିଲେ । ୩ ତାରିଖ ଦିନ ଗାଁ ନିକଟରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ପୋଲିସକୁ ଖବର ଦେବାପରେ ଯୁବକ ଜଣକ ସୁଦାମ ଭୋଇ ବୋଲି ଜଣା ପଡିଥିଲା । ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପାରିବାର ଲୋକେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଆଦିବାସୀ ସଂଘ ଜିଲ୍ଲା ସଂପାଦକ ପ୍ରକାଶ ମାଝୀ, ସ୍ଥାନୀୟ ସରପଞ୍ଚ ସୁରେଶ ପ୍ରଧାନ, ପ୍ରଦମ ପାତ୍ର, ଲୋଚନ ଧରୁଆ, ରାଜୁ ମାଝୀ । ସୁଦାମ ଭୋଇଙ୍କ ଦୁଇ ଜଣ ପୁଅ କ୍ରିସ ଭୋଇ(୫), ଝିଅ ବିତି ଭୋଇ(୨), ବାରୁଦାବତୀ ଭୋଇ(୨୩) ଓ ବୃଦ୍ଧ ବାପା, ମା’ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଉକ୍ତ ପରିବାରକୁ ଉଚିତ ନ୍ୟାୟ ଓ ଥଇଥାନ କରିବାକୁ ସାଧାରଣରେ ଦାବୀ ହୋଇଛି ।