ବର୍ଣ୍ଣାଢ଼୍ୟ ସମାରୋହରେ ଛତ୍ରପୁରରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥିତ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଏନ୍‌ଏସି କାର୍ଯ୍ୟାଳୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାମୂହିକ ରାଷ୍ଟ୍ରସଙ୍ଗୀତ ଗାନ ଓ ଦେଶମାତୃକାର ଜୟଗାନ ଧ୍ୱନିରେ ସ୍ଥାନଟି ମୁଖରୀତ ହୋଇଉଠିଥିଲା । ଛତ୍ରପୁର ଲୱେର ବସଷ୍ଟାଣ୍ଡଠାରେ ଅବସ୍ଥାପିତ ପ୍ରବାଦ ପୁରୁଷ ତଥା କଳିଙ୍ଗର ବରପୁତ୍ର ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ପରେ ମଧ୍ୟାହ୍ନରେ ଆନୁଷ୍ଠାନିକ ସଭାର ଆୟୋଜନ ହୋଇଥିଲା । ଏହି ସମସ୍ତ କାର୍ୟ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ପୌର-ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, ପୌର- ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ନିର୍ବାହୀ ଅଧିକାରୀ ନୀଳମାଧବ ଭୋଇ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି, କାଉନ୍ସିଲର ଗଣ ପ୍ରମୁଖ ଯୋଗଦେଇ ଛତ୍ରପୁର ସହରର ବିକାଶ ମୂଳକର ଧାରା, ପରିମାର୍ଜିତ ସହର ଭାବେ ଗଢ଼ି ତୋଳିବା ସହ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଅତିଥିଗଣ ଓ କର୍ତ୍ତୃପକ୍ଷ ଆଲୋକପାତ କରିଥିଲେ । ଖୁବଶୀଘ୍ର ଛତ୍ରପୁର ସହରକୁ ଏକ ପରିମାର୍ଜିତ ସହର ଭାବେ ଗଢ଼ି ତୋଳିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ସଭାରେ ମତବ୍ୟକ୍ତ କରାଯାଇଛି । ଛତ୍ରପୁରବାସୀଙ୍କର ଦୀର୍ଘଦିନର ରହିଥିବା ଦାବୀ ଯାହାକି, ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ ମାନ୍ୟତା ମିଳିବା ନିମନ୍ତେ ରାଜ୍ୟ ସରକାର ତଥା ୫-ଟି ସଚିବଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ଖୁବଶୀଘ୍ର ଏହି ଖୁସି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଉପାଧ୍ୟକ୍ଷ ଜି.ପାପା ରାଓ ମତବ୍ୟକ୍ତ କରିଛନ୍ତି । ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଛତ୍ରପୁର ସହର ସୌନ୍ଦର୍ଯ୍ୟକରଣରେ ଆଉ ପାଞ୍ଚ ପାଦ ଆଗକୁ ବଢ଼ିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ଲୋକର୍ପଣ କରାଯାଇଛି ।

jittmm
Leave A Reply

Your email address will not be published.