ବଲାଙ୍ଗିର, (କେପିଏନ୍ଏସ୍) : ସଇଁନ୍ତଲା ବ୍ଲକ ରେଙ୍ଗାଲି ଗାଁର ଜଣେ ମହିଳା ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ୨୦୨୦ରେ ରୀତିନୀତି ଅନୁସାରେ ରେଙ୍ଗାଲି ଗାଁର ଗୀତା ସାହୁ ସାଇଡଲଙ୍ଗ ଗାଁର ଲକ୍ଷ୍ମଣ ସାହୁଙ୍କୁ ବାହା ହୋଇଥିଲେ । ଦୀର୍ଘ ଦିନ ହେଲା ସ୍ୱାମୀ, ଶାଶୁ ଓ ଶ୍ୱଶୁର ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଜମି କଣିବା ପାଇଁ ଗୀତାଙ୍କୁ ୫ ଲକ୍ଷ ଟଙ୍କା ବାପା ଘରୁ ଆଣିବା ପାଇଁ କହିଥିଲେ । ପଇସା ନ ଆଣିଲେ ପେଟ୍ରୋଲ ପକାଇ ଜିଅନ୍ତା ଜାଲି ଦେବାକୁ ଧମକ ବି ଦେଇଥିଲେ ଶ୍ୱଶୁର ଘରର ଲୋକେ ବୋଲି ସେ ଅଭିଯୋଗ କରିଛନ୍ତି । ପରେ ଶାରୀରିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ନିଜ ବାପା ଘରକୁ ୮ ମାସ ହେଲା ଆସି ଗୀତା ରହୁଛନ୍ତି । ସେ କରିଥିବା ଅଭିଯୋଗ ମୁତାବକ ଲକ୍ଷ୍ମଣଙ୍କ ଗୋଟିଏ ସ୍ତ୍ରୀ ଥିବା ବେଳେ ଏବେ ଅନ୍ୟ ଜଣକୁ ବିବାହ କରିଥିବାରୁ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।