
ତୁଷୁରା, (ଅଜିତ କୁମାର ସାହୁ) : ପୁରୀ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ରାଜ୍ୟରେ ଥିବା ଛୋଟ ବଡ଼ ସବୁ ଜଗନ୍ନାଥ ମନ୍ଦିରରେ କାଠରେ ତିଆରି ମୂର୍ତି ପୂଜା ପାଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ ପଥରରେ ତିଆରି ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ବିଗ୍ରହ ପୂଜା ପାଇବା ଅତ୍ୟନ୍ତ ବରିଳ । ତେବେ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ତେନ୍ତୁଳିଖୁଣ୍ଟି ଗାଁର ଦୁର୍ଗମ ଅଞ୍ଚଳରେ ଏଭଳି ଏକ ପୁରଣା କୋଠାରେ ବିଗ୍ରହମାନେ ପୂଜା ପାଉଛନ୍ତି । ହେଲେ ଆଜି ଯାଏଁ ଏହା ଲୁକ୍କାୟିତ ହୋଇରହଛି ।ମିଳିଥିବା ସୂଚନା ଅନୁସାରେ କେବଳ ପଥରରେ ତିଆରି ବିଗ୍ରହ ନୁହଁ, ସେହି କୋଠାରେ ଅନେକ ବିରଳ ପଥରରେ ତିଆରି ମୂର୍ତ୍ତି, ମନ୍ଦିର ଗମ୍ବୁଜ, ଶିବଲିଙ୍ଗ, ବୃଷଭଙ୍କ ବିଗ୍ରହ ରହଥିବା ଦେଖିବାକୁ ମିଳିଛି । ଗାଁର ତ୍ରିଲୋଚନ ଭାଇଙ୍କୁ ୨୦୦୨ ମସିହାରେ ସ୍ୱପ୍ନାଦେଶ ହେବା ପରେ ଉକ୍ତ ସ୍ଥାନକୁ ଖନନ କରିବା ଫଳରେ ଏହି ମୂର୍ତ୍ତି ସବୁ ବାହାରିଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମଧ୍ୟ ଏକ ଟମ୍ ଆସି ସମସ୍ତ ପଥର ମୂର୍ତ୍ତିକୁ ଏକ କୋଠାରେ ରଖି ପଳାଇଥିଲେ । ଇତିମଧ୍ୟରେ ବହୁ ମୂର୍ତ୍ତି ଚୋରି ହୋଇଥିବା ସୂଚନା ମିଳିଛି । ତୁଷୁରା ଠାରୁ ୨ କି.ମି. ଗଲେ ଡାହିମାଲ ଛକ ପଡିଥାଏ । ସେହି ଠାରୁ ଅଳ୍ପ କିଛି ଦୂରତାରେ ତେନ୍ତୁଳିଖୁଣ୍ଟି ଗାଁ ରହଛି । ଗାଁ ମୁଣ୍ଡ ଦେଇ ପାଣି କାଦୁଅ, ନାଳ ପାରହୋଇ ଯିବା ପରେ ଏକ ପୁରୁଣା କୋଠା ରହିଛି । କୋଠା ଭିତରେ ପୂଜା ପାଉଛନ୍ତି ପଥରରେ ତିଆରି ଜଗନ୍ନାଥ, ସୁଭଦ୍ରା, ବଳଭଦ୍ରଙ୍କ ମୂର୍ତ୍ତି । ସେହିପରି ଏକ ବଡ ଶିବଲିଙ୍ଗ, ମନ୍ଦିର ଗମ୍ବୁଜ, ବୃଷଭ ଏଭଳି ଅନେକ ପଥରରେ ତିଆରି ମୂର୍ତ୍ତି ପୂଜା ପାଉଛନ୍ତି । ମନ୍ଦିର ପୂଜକ ତ୍ରିଲୋଚନ ଭୋଇ ଦାୟିତ୍ୱରେ ରହିଛନ୍ତି । ତାଙ୍କୁ ସ୍ୱପ୍ନାଦେଶ ହେବା ପରେ ସେ ଖୋଲିଥିଲେ । ପ୍ରଥମେ ମନ୍ଦିର ଗମ୍ବୁଜ ମିଳିଥିଲା, ଆହୁରି ଖୋଲିବା ପରେ ନୂଆ ନୂଆ ମୂର୍ତ୍ତି ସହିତ ବହୁ ପୁରାତନ ଶିଳା ପାଇଥିଲେ । ପରେ ଯଥା ସମ୍ଭବ ଖୋଲିବା ପରେ ଜଗନ୍ନାଥ, ଶୁଭଦ୍ରା ଓ ବଳଭଦ୍ରଙ୍କ ଶିଳା ମୂର୍ତ୍ତି ବାହାରିଥିଲା । ଏହା ସହିତ ଶିବଲିଙ୍ଗ, ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ମୂର୍ତ୍ତି ଏଭଳି ଅନେକ ମୂର୍ତ୍ତି ବାହାରିଥିଲା । ଏ ନେଇ ଖବରପାଇବା ପରେ ଭୁବନେଶ୍ୱରରୁ ଏକ ଟିମ୍ ଆସି ସବୁ ମୂର୍ତ୍ତିକୁ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ଯେଉଁଠି ମୂର୍ତ୍ତି ଥିଲା ସେଠାରୁ ସୁଭଦ୍ରାଙ୍କ ମୂର୍ତ୍ତି ସହିତ ଅନେକ ମୂର୍ତ୍ତି ଚୋରି ହୋଇଗଲା । କିନ୍ତୁ କିଛି ଦିନ ପରେ ସୁଭଦ୍ରାଙ୍କ ମୂର୍ତ୍ତି କୋଠା ସାମ୍ନାରେ ଦେଖାଗଲା । ମନ୍ଦିର ଲୁକ୍କାୟିତ ଅବସ୍ଥାରେ ରହିଥିବାରୁ କେହି ଆସୁନାହାନ୍ତି କି ଆର୍ଥିକ ସହାୟତା ମିଳୁନି । ପୁରୁଣା କୋଠାରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସମେତ ବହୁ ଛୋଟବଡ଼ କାରୁକାର୍ଯ୍ୟ ଥିବା ମୂର୍ତ୍ତିଗୁଡିକ ଚୋରି ହୋଇଯାଇଥିବା ସୂଚନା ମିଳିଛି । ମୂର୍ତ୍ତିଗୁଡିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ କଥା କେହି ବୁଝୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମନ୍ଦିରରେ ଉଦ୍ଧାର ହୋଇଥିବା ମୂର୍ତ୍ତି, ଶିଳା ୧୫ଶହ ବର୍ଷ ପୁରଣା ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଜଗତର ନାଥ ଭାବେ ପୂଜା କରୁଥିବା ଗବେଷକଙ୍କ ପାଖରୁ ସୂଚନା ମିଳିଥିବା କହିଛନ୍ତି ଶ୍ରୀ ଭୋଇ । ତେବେ ଛୋଟରୁ ଛୋଟ ଯୋଜନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ୧୯ ବର୍ଷ ବିତିଯାଇଥିଲେ ଥିଲେ ମଧ୍ୟ କାହିଁକି ସରକାର କୋଣସି ଉନ୍ନତି ଆଉ ରକ୍ଷଣାବେକ୍ଷଣ ପାଇଁ ଯୋଜନା କରିନାହାନ୍ତି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।
