
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ସୋମବାର ଜଣେ ସ୍ତ୍ରୀ ଏକ ଟାଙ୍ଗିଆରେ ନିଜ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ମଙ୍ଗଳବାର ଗୁରୁତର ସ୍ୱାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, ଝାମ୍ପି ଗ୍ରାମର ପ୍ରଶାନ୍ତ କହଁର ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ । ୬ଟି ପୁତ୍ର ସନ୍ତାନଙ୍କୁ ଧରି ଅହଲ୍ୟା ବହୁ କଷ୍ଟରେ ଜୀବନ ବିତାଉଥିଲେ । ପ୍ରଶାନ୍ତ ପରକୀୟା ପ୍ରୀତିରେ ମଧ୍ୟ ଜଡ଼ିତ ଥିବା ଅଭିଯୋଗ ହେଉଥିଲା । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ ବଚସା ହେଉଥିଲା । ରବିବାର ପୁଣି ଝଗଡ଼ା ହେବାରୁ ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଏକ ଟାଙ୍ଗିଆ ଧରି ସ୍ତ୍ରୀ ଅହଲ୍ୟାଙ୍କୁ ହାଣିବା ପାଇଁ ଗୋଡାଇ ଥିଲେ । ତେବେ ଅହଲ୍ୟା ଟାଙ୍ଗିଆ ଛଡ଼ାଇ ପ୍ରଶାନ୍ତଙ୍କୁ ଚୋଟ ପକାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଗାଡ଼ିରେ ନେଇ ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପ୍ରଶାନ୍ତର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ । ଏ ନେଇ କେଶ ନଂ ୧୩୮/୨୫ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି ପୁଲିସ । ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନବିନ କରିଛନ୍ତି । କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ବିଷୟ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ପ୍ରକାଶ କରିଛନ୍ତି ।