କେସିଙ୍ଗା, (ପ୍ରୀତେଶ ପଟେଲ) : ସତ୍ୟଯୁଗରେ ସତ୍ୟବାନଙ୍କ ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଯମ ସହିତ ଲଢେଇ କରିଥିଲେ, ହେଲେ ଆଜିର କଳିଯୁଗରେ ସ୍ୱାମୀର ଜୀବନ ନେବାକୁ ପଛାଉ ନାହିିଁ ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ୱାର୍ଡ ନମ୍ୱର ୯ର କୈବର୍ତ୍ତପଡାରେ । ସୂଚନା ଅନୁଯାୟୀ ରାମକୃଷ୍ଣ କୈବର୍ତ୍ତ କେସିଙ୍ଗା ଜଗନ୍ନାଥପଡ଼ା ସ୍ଥିତ କୈବର୍ତ୍ତପଡ଼ାରେ ରହି ମାଛ ମାରି ମାଛ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ପରିବାରରେ ରାମକୃଷ୍ଣଙ୍କ ବ୍ୟତୀତ ଦୁଇ ପୁଅ ଗୋଟେ ଝିଅ ଓ ସ୍ତ୍ରୀ ରହନ୍ତି । ରାମକୃଷ୍ଣଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ତ୍ରୀ ତାଙ୍କୁ ଛୁରା ମାରି ଲହୁ ଲୁହାଣ କରିଛନ୍ତି । ୧୪ ବର୍ଷର ପୁଅ ସ୍କୁଲରୁ ଫେରିବା ପରେ ଏଭଳି ଘଟଣା ଦେଖି ନିଜେ ବିଷ ପିଇ ଦେଇଛି । ପୁଅର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ଥିବା ବେଳେ ରାମକୃଷ୍ଣଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଯୋଗ୍ୟ ଯେ ଏହି ଦୁଇ ସ୍ଵାମୀସ୍ତ୍ରୀ ମଧ୍ୟରେ ଗତ କିଛି ମାସ ପୂର୍ବରୁ ଝଗଡା ହୋଇଥିବା ବେଳେ ସ୍ତ୍ରୀ ରାମକୃଷ୍ଣଙ୍କ ବେକରେ ଟାଙ୍ଗିଆରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲା । ସେହି ସମୟରେ ମଧ୍ୟ ରାମକୃଷ୍ଣ ତାଙ୍କ ସ୍ତ୍ରୀଙ୍କ ନାମରେ ଅଭିଯୋଗ ଆଣିଥିଲେ ଓ ଆଜି ମଧ୍ୟ ରାମକୃଷ୍ଣ ତାଙ୍କ ସ୍ତ୍ରୀ ମାରିଥିବା ଅଭିଯୋଗ କରିଛନ୍ତି । ହେଲେ ସ୍ତ୍ରୀ ସେତେବେଳେ ମଧ୍ୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଓ ଆଜି ମଧ୍ୟ ସେ ନିଜକୁ ନିର୍ଦ୍ଦୋଷ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ନିଜେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦେଖାଯାଇଛି ।