ଗଁରେଇ ଗ୍ରାମରେ ଧାନ ପହ୍ଲା ରୋଉଥିବା ବେଳେ ବଜ୍ରପାତ ସ୍ଵାମୀ ସ୍ତ୍ରୀ ଗୁରୁତର : ଭୀମଭୋଇ ମେଡିକାଲରେ ଭର୍ତ୍ତି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ଜମିରେ ଧାନ ପହ୍ଲା ରୋଉଥିବା ବେଳେ ବଜ୍ରପାତରେ ଦୁଇ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗଁରେଇ ଗ୍ରାମର ଘେନୁ ସାହୁଙ୍କ ପୁଅ ରୋହିତ ସାହୁ(୪୫) ଓ ତାଙ୍କ ସ୍ତ୍ରୀ ଶୋଭାଶିନୀ ସାହୁ(୪୦)ଶନିବାର ଅପରାହ୍ନ ସାଢେ଼ ତିନିଟା ସମୟରେ ନିଜ ଜମିରେ ପହ୍ଲା ରୋଉଥିଲେ । ହଠାତ୍ ଏହି ସମୟରେ ଘଡ଼ଘଡି ସହ ବର୍ଷା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ସ୍ଵାମୀ ସ୍ତ୍ରୀ ସେହି ଜମିରେ ହିଁ ଗୁରୁତର ଆହତ ଅବସ୍ଥାରେ ଅଚେତ ହୋଇ ପଡ଼ିଯାଇଥିବା ବେଳେ ଉଭୟଙ୍କର ଦେହର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିଲା । ଦୂରରେ ଥିବା ଜଣେ ବ୍ୟକ୍ତି ଏହା ଦେଖିପାରି ପରିବାର ଲୋକଙ୍କୁ ଖବର ଦେବାରୁ ପରିବାର ଲୋକେ ପହଞ୍ଚି ଉଭୟ ଗୁରୁତରଙ୍କୁ ଘରକୁ ଆଣି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ବିଳମ୍ବିତ ରାତିରେ ପରିବାର ଲୋକେ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ରାତି ୪ଟାରେ ଉଭୟଙ୍କ ଚେତା ଆସିଥିଲା । ସେମାନେ ଏବେ ସାମାନ୍ୟ ସୁସ୍ଥ ହୋଇ କଥାବାର୍ତ୍ତା କରିପାରୁଥିବା ବେଳେ ଦେହର ବିଭିନ୍ନ ସ୍ଥାନ ପୋଡ଼ିଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଏ ସମ୍ପର୍କରେ ଗାଁରେଇ ରାଜସ୍ୱ ନିରୀକ୍ଷକ ସଲମାନ୍ ସୋରେଙ୍ଗ ଉଭୟ ଆହତ ସ୍ୱାମୀ ସ୍ତ୍ରୀ ସୁସ୍ଥ ହୋଇ ଘରକୁ ଫେରିଲେ ତଦନ୍ତ କରି ରିପୋର୍ଟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ମୁରିବାହାଲ ଭାରପ୍ରାପ୍ତ ତହସିଲଦାର ଦାୟିତ୍ୱରେ ଥିବା ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋସ୍ନା ମାଝୀଙ୍କୁ ପଚାରିବାରୁ ଆରଆଇଙ୍କ ତଦନ୍ତ ରିପୋର୍ଟ ଆସିଲେ ବିଚାର କରାଯିବ ବୋଲି ପ୍ରକାଶ କରିଛନ୍ତି । ଗୁରୁତର ସ୍ଵାମୀ ସ୍ତ୍ରୀ ଉଭୟେ ହିଁ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଉଭୟଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.