ନୂଆଦିଲ୍ଲୀ, (ପିଆଇବି) : ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ଭାରତର ସମୁଦ୍ର କୂଳରେ ନିଜର ୬,୫୫୩ କିଲୋମିଟର ଯାତ୍ରାର ଏକ ଅଂଶ ସ୍ୱରୂପ ୨୦୨୫ ମାର୍ଚ୍ଚ ୧୦ ତାରିଖରେ ଓଡ଼ିଶାର କୈଥକୋଲାରେ ପହଞ୍ଚିଥିଲା । ପ୍ରଥମେ ପଶ୍ଚିମବଙ୍ଗର ବଖାଲି ବେଳାଭୂମିରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀଙ୍କ ଦୃଢ଼ ସମର୍ଥନ ମିଳିଛି । ଉପକୂଳ ସୁରକ୍ଷା, ପରିବେଶ ସଚେତନତା ଏବଂ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୮ ଜଣ ମହିଳାଙ୍କ ସମେତ ୫୦ ଜଣ ସାଇକେଲ ଚାଳକଙ୍କୁ ନେଇ ଗଠିତ ପୂର୍ବତଟ ଟିମ୍ ୪ଟି ରାଜ୍ୟରେ ୨,୭୭୮ କିଲୋମିଟର ଯାତ୍ରା କରୁଛି, ଯାହା ମାର୍ଚ୍ଚ ୩୧, ୨୦୨୫ରେ କନ୍ୟାକୁମାରୀରେ ଶେଷ ହେବ । କୈଥକୋଲାରେ ପହଞ୍ଚିବା ପରେ ସାଇକେଲ ଚାଳକମାନଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଜାତୀୟ ପତାକା ଦେଖାଇ ସ୍ୱାଗତ କରିଥିଲେ । ମାର୍ଚ୍ଚ ୧୧ ତାରିଖରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା । ପରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଭଦ୍ରକ ଡିଏଫ୍ଓ ସୌଭାଗ୍ୟ କୁମାର ସାହୁ, ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ଅକ୍ଷତ ପଟେଲ ଓ ବାସୁଦେବପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଟିମ୍କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଜାଗୁଳା ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଦେଶାତ୍ମବୋଧକ ବିଷୟବସ୍ତୁ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ । ଏହି ଭବ୍ୟ ସମାରୋହରେ ପାଖାପାଖି ୨୦୦ ଗ୍ରାମବାସୀ ଯୋଗ ଦେଇଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତିରେ ସିଆଇଏସ୍ଏଫ୍ର ପ୍ରୟାସକୁ ପ୍ରଶଂସା କରିବା ସହ ଉପକୂଳ ସତର୍କତା, ପରିବେଶ ସଂରକ୍ଷଣ ଏବଂ ଜାତୀୟ ସୁରକ୍ଷାରେ ସାମୂହିକ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ସାଇକେଲ ଚାଳକମାନେ ଏବେ ୧୨୫ କିଲୋମିଟର ଦୂରତା ଅତିକ୍ରମ କରି ପାରାଦୀପରେ ପହଞ୍ଚିଛନ୍ତି । ବାଟରେ ସେମାନେ ତାରାସ ଗାଁର ଲୋକମାନଙ୍କୁ ଭେଟି ଉପକୂଳ ସୁରକ୍ଷାରେ ସେମାନଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ରାଜକନିକା ଗ୍ରାମରେ ଐତିହାସିକ ରାଜକନିକା ପ୍ରାସାଦରେ ସ୍କୁଲ ପିଲା ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସାମୂହିକ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନେ ମାଲାପାଟଣା ଗ୍ରାମର ଯୁବକମାନଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚରେ ଅଂଶଗ୍ରହଣ କରି ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦ୍ଘାଟିତ ହୋଇଥିବା ସିଆଇଏସ୍ଏଫ୍ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସ୍ଏଫ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା । ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି । ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି । ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି : ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ” ।