ଓକିଲ ଲାଇସେନ୍ସ ପାଇଁ ପଞ୍ଜିକରଣ ଫି ବୃଦ୍ଧିକୁ ରୋକ୍ ଲାଗିବା ସ୍ଵାଗତ ଯୋଗ୍ୟ : ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ସୁପ୍ରିମକୋର୍ଟ ନୂତନ ଭାବରେ ଆଇନକୁ ପେଶା କରିବାକୁ ଚାହୁଁଥିବା ଆଇନଜୀବୀ ମାନଙ୍କ ଠାରୁ ବିଭିନ୍ନ ରାଜ୍ୟରେ ବାର୍ କାଉନସିଲ୍ ଭିନ୍ନ ଭିନ୍ନ ଫି ଆଦାୟ କରୁଥିବା ନେଇ ଅସମ୍ମତି ପ୍ରକାଶ କରିବା ସହ ଏହା ଆଡଭୋକେଟ ଆକ୍‌ଟସ୍‌ର ବିରୁଦ୍ଧାଚରଣ ବୋଲି କହିଛନ୍ତି । ଏହା ସହ ରାଜ୍ୟ ବାର୍ କାଉନସିଲ୍ ଯେଉଁ ମନ ଇଚ୍ଛା ଫି ଆଦାୟ କରୁଛନ୍ତି ତାହା ମଧ୍ୟ କରିପାରିବେନି ବୋଲି କହିଛନ୍ତି । ସାଧାରଣ ବର୍ଗଙ୍କ ଠାରୁ ୭୫୦ ଟଙ୍କା ଓ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି ଓ ଏସ୍‌ଟି)ଙ୍କ ଠାରୁ ଆଇନଜୀବି ହେବାପାଇଁ ୧୨୫ ଟଙ୍କା ନେବା ପାଇଁ ଧାର୍ଯ୍ୟ ହୋଇଛି । ବିଭିନ୍ନ ରାଜ୍ୟ ବାର୍ କାଉନସିଲ୍ ଏହାଠାରୁ ଯଥେଷ୍ଟ ପଞ୍ଜିକରଣ ଫି ଆଦାୟ କରୁଛନ୍ତି । ଓଡ଼ିଶାରେ ପଞ୍ଜିକରଣ ବାବଦରେ ୧୨,୦୦୦ ଟଙ୍କା ନିଆଯାଉଥିବା ବେଳେ ଦିଲ୍ଲୀ ଓ କେରଳରେ ୬୦୦ ଟଙ୍କା ,ଗୁଜରାଟରେ ୬୦୦୦ ଟଙ୍କା, ପଶ୍ଚିମବଙ୍ଗରେ ୩୦୦୦ଟଙ୍କା, ଆନ୍ଦ୍ରପ୍ରଦେଶରେ ୫୬୫୦ଟଙ୍କା ପଞ୍ଜୀକରଣ ବାବଦରେ ରାଜ୍ୟ ଆଇନଜୀବୀ ପରିଷଦ ଆଦାୟ କରୁଛନ୍ତି । ଏହାକୁ ବନ୍ଧ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ସ୍ଵାଗତ କରିଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ଆବଶ୍ୟକ ହେଇଥିବା ଅର୍ଥକୁ ରାଜ୍ୟ ସରକାର ଓକିଲ ମାନଙ୍କ ସମୂହ ସ୍ୱାର୍ଥ ପାଇଁ ଯେଉଁ କଲ୍ୟାଣ ପାଣ୍ଠି ଅଛି ତାହାକୁ ବାର୍ଷିକ ପଚାଶ କୋଟି ଟଙ୍କା ପ୍ରଦାନ କରନ୍ତୁ ଓ ଓକିଲଙ୍କ ଓକାଲତନାମାରେ ଲାଗୁଥିବା ଷ୍ଟାମ୍ପରେ ସାମାନ୍ୟ ବୃଦ୍ଧି କରାଯାଇ ଅର୍ଥ ଆଦାୟ କରିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ନୂଆଁ କରି ଲାଇସେନ୍ସ ଆଣିବାପାଇଁ ଯାଉଥିବା ଆଇନଜୀବୀଙ୍କ ଠାରୁ ଚାଳସି ହଜାର ଟଙ୍କା ଠାରୁ ଅଧିକ ଫି ନେବା ଦୁଃଖ ଦାୟକ ଘଟଣା ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.