ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓଙ୍କୁ ପୁଇଁନ୍ତଲା ବିଜେଡ଼ି ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଓଏସଏଚବି ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ ପରେ କଲିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ଫେରିବା ବେଳେ ବଏରାସରରେ ତାଙ୍କୁ ଦଳ ପକ୍ଷରୁ ପାଛୋଟି ନିଆଯାଇଥିଲା । ବଏରାସର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପ୍ୟାକ୍ସ ଅଫିସ ପର୍ଯ୍ୟନ୍ତ ନିଆଯାଇଥିଲା ଏବଂ ସେଠାରେ ଦଳ ପକ୍ଷରୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦଳର ନେତା ଓ କର୍ମୀମାନେ । ପୁଇନ୍ତଁଲା ବିଜେଡ଼ି ନେତା ତଥା ରାଜ ପରିବାରର ଦୃଢ଼ ସମର୍ଥକ ଶ୍ରୀପତି ବାଗ ଓ ଦେବରାଜ ଅମାତଙ୍କ ତତ୍ତ୍ଵାବଧାନରେ ଏହି ଭବ୍ୟ ସ୍ଵାଗତ ସମାରୋହ ଆୟୋଜନ କରାଯାଇଥିଲା । ଦୀର୍ଘ ଦିନରୁ ନୀରବ ରହିଥିବା ଦଳୀୟ କର୍ମୀ ହଠାତ୍ ଏକଜୁଟ ହୋଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଗୁଁ ରାଜ ପରିବାର ବିରୋଧୀ ଗୋଷ୍ଠୀଙ୍କୁ ଛନକା ପଶିଛି । ଭବ୍ୟ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତା କୁନାଲ ସରକାର, ସୀତାକାନ୍ତ ସାଏ, ଭରତ ଭୂଷଣ ପ୍ରଧାନ, ରୋହିତ ସାହୁ, ପ୍ରହଲ୍ଲାଦ ସୁନା, ପାଣ୍ଡବ କୁମ୍ଭାର, ଦାମୋଦର ଦୋରାଙ୍କ ସହ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ ।