ଚନ୍ଦନଭାଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସମସ୍ତ ଛାତ୍ରଛାତ୍ରୀ ଘୋଷ ବାଦନ ଓ ନାରା ସହିତ ଚନ୍ଦନଭାଟି ଗ୍ରାମ ପରିକ୍ରମା କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଛାତ୍ରଛାତ୍ରୀଙ୍କ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ବେଶ ଗ୍ରାମ ପରିକ୍ରମାର ମୁଖ୍ୟ ଆକର୍ଷଣ ସାଜିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ, ସମ୍ପାଦକ ଡ. ଲକ୍ଷ୍ମଣ କୁମାର ମେହେର ଓ ଯୁଗ୍ମ ସମ୍ପାଦକ ତେଜରାଜ ଧରୁଆ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ସଭାପତି ରାମଚନ୍ଦ୍ର ପ୍ରଧାନ ଦୀପ ପ୍ରଜ୍ୱଳନ ତଥା ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ନିଜ ଭାଷଣରେ ଦେଶର ସ୍ୱାଧୀନତା ସଂଗ୍ରାମ ବିଷୟରେ ତଥା ପାଠପଢି ଦେଶର ଟେକ ରଖିବାକୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ଡା. ଲକ୍ଷ୍ମଣ କୁମାର ମେହେର ନିଜ ଅଭିଭାଷଣରେ ଶିଶୁ ଭାଇଭଉଣୀଙ୍କୁ ପାଠ ପଢ଼ି ନିଜର ସ୍ବାଧୀନତାକୁ ବଲବତ୍ତର ରଖିବା ସହିତ ପିତାମାତାଙ୍କ ଆଶା ପୂରଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ତେଜରାଜ ଧରୁଆ ସମସ୍ତଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ପର୍ବକୁ ଆଗେଇ ନେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଞ୍ଜଳି ପଟେଲ, ପ୍ରିୟବ୍ରତ ମେହେର, ସ୍ବାଗତ ପଟେଲ, ଚିନାୟକ ମିଶ୍ର, କିଂଶୁକ ବର୍ଧନ ପୁରୋହିତ, ଶିବନାରାୟଣ ମିଶ୍ର ମଧ୍ୟ ସ୍ବାଧୀନତା ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ଆଚାର୍ଯ୍ୟ ସଭା ସଂଯୋଜନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.