jayashree

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ ନିର୍ଦେଶାବଳୀ ଅନୁସାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରଯାଇଥିଲା । ୭୫ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ ପ୍ରଚାର କରଯାଇଥିଲା । ସକାଳ ଘ.୭.୩୦ ମି ସମୟରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ସକାଳ ଘ.୭.୪୫ ମି ଠାରୁ ଗାନ୍ଧୀ ନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀ ଛକ ସ୍ଥିତ ଡ଼. ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବାହ୍ନ ଘ.୯.୧୫ ମି ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ସମାରୋହରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ ଶ୍ରୀଯୁକ୍ତ ସିଂହ ତାଙ୍କ ଅଭିଭାଷଣରେ ଜାତୀୟ ସ୍ଵାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷ ମାନେ ଦେଶ ତଥା ଜାତି ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି ସେହି ମହାମନିଷୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲା ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବଲାଙ୍ଗିର ଜିଲ୍ଲାର ପର୍ୟ୍ୟଟନ, ଲୋକସଂସ୍କୃତି, ଲୋକକଳା, ଲୋକନୃତ୍ୟ, କୁଟୀରଶିଳ୍ପର ଏକ ସ୍ଵତନ୍ତ୍ର ପରିଚୟ ରହିଛି ବୋଲି ଉଲ୍ଲେଖ କରିବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ ଜିଲ୍ଲାବାସୀଙ୍କ ପ୍ରଚେଷ୍ଟା ସ୍ଵାଗତଯୋଗ୍ୟ ବୋଲି କହିଥିଲେ । ପଶ୍ଚିମ ଓଡିଶାର ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଥିଲେ । କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସାମାଜିକ ସୁରକ୍ଷା, ଆଦିବାସୀ କଲ୍ୟାଣ, ଶକ୍ତି, ଯୁବ ସଶକ୍ତିକରଣ ଓ ଦକ୍ଷତା ବିକାଶ, କ୍ରୀଡା, ସୂଚନା ପ୍ରଯୁକ୍ତି, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ପ୍ରଗତି ହୋଇଛି ଏବଂ ରାଜ୍ୟର ସାମଗ୍ରିକ ବିକାଶର ଚିତ୍ର ସର୍ବ ଭାରତୀୟ ସ୍ତରରେ ଆମ ପାଇଁ ଗର୍ବ ଓ ଗୌରବ ଆଣିଛି ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟରେ ଏକ ଉତ୍ତରଦାୟୀ, କାର୍ୟ୍ୟକ୍ଷମ, ସ୍ଵଚ୍ଛ, ସକ୍ରିୟ ପ୍ରଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫‘ଟି’ ର ଆହ୍ଵାନ ଦେଇଛନ୍ତି ଏହାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରି ବିଭିନ୍ନ ଫଳପ୍ରସୂ ଓ ଲୋକାଭିମୁଖୀ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ । କୋଭିଡ ମହାମାରୀର ଦ୍ଵିତୀୟ ଲହର ସମୟରେ ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀ, ମିଶନଶକ୍ତି ସଦସ୍ୟା, ଉଠା ଦୋକାନୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷତି ଭରଣା ପାଇଁ ରାଜ୍ୟ ସରକାର ୨୦୦୪ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏତଦ୍‌ ବ୍ୟତୀତ କ୍ରୀଡାର ବିକାଶ, କ୍ରୀଡାବିତ ମାନଙ୍କୁ ଉନ୍ନତ ମାନର କ୍ରୀଡା ଭିତ୍ତିଭୂମି, ବୃହତ ପାନୀୟ ଜଳ ପ୍ରକଳ୍ପ, ଆଶୀର୍ବାଦ ଯୋଜନା, ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନା ‘ମୁକ୍ତା’ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ରହିଥିବା ଜନ ସମୁଦାୟଙ୍କ କଲ୍ୟାଣ ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

କୋଭିଡ କଟକଣା ଯୋଗୁଁ ଜିଲ୍ଲା ସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ଉତ୍ସବରେ କେବଳ ଏ.ପି.ଆର. ଓ ହୋମଗାର୍ଡ ଦୁଇଗୋଟି ପ୍ଲାଟୁନ ଅଂଶଗ୍ରହଣ କରି ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଙ୍ଗୀତ ବାଦନ କରିଥିଲେ । ଅଭିବାଦନ ମଞ୍ଚରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ପ୍ରଧାନ ଉପସ୍ଥିତ ଥିବାବେଳେ ସମାରୋହରେ କୋଭିଡ ଯୋଦ୍ଧା, ସରକାରୀ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.