jayashree

ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟଭୂମି ପବିତ୍ର ଭଞ୍ଜମାଟି ଭଞ୍ଜନଗର ସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ବିପୁଳ ଉତ୍ସାହ ଉଦ୍ଦୀପନା, ହର୍ଷ-ଉଲ୍ଲାସ ମଧ୍ୟରେ ୭୭ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଉପ-ଖଣ୍ଡସ୍ତରୀୟ ସମ୍ମିଳିତ ପରେଡ଼ ଉତ୍ସବରେ ଭଞ୍ଜନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ପ୍ରଗତି, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗାଇ ପ୍ରାଣବଳି ଦେଇଛନ୍ତି, ସେହିମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ସମ୍ମାନର ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ଲାଭ କରିଛି ବୋଲି ଗଣନା କରିଥିଲେ । ଉପଖଣ୍ଡ ପ୍ରଶାସନ ତଥା ରାଜସ୍ୱ ପ୍ରଶାସନ ସବୁବେଳେ ଆପଣମାନଙ୍କ ସହିତ ରହିଛି । ଆମର ଭଞ୍ଜନଗର ଉପଖଣ୍ଡରେ କୃଷି ଓ କୃଷକର ବିକାଶ, ଭିତ୍ତିଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣରେ କହିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ଏହି ଉତ୍ସବରେ ଅତିରିକ୍ତ ଅରକ୍ଷୀ ଅଧୀକ୍ଷକ ପ୍ରଫୁଲ କୁମାର ବଡଜେନା ଏସ୍‌.ଡ଼ି.ପି.ଓ. ବିଶ୍ଵାମିତ୍ର ହରପାଲ, ମେଡିକାଲ ଅଧିକ୍ଷକ ଡ଼ଃ ସୀତାଂଶୁ ଶେଖର ଶତପଥୀ, ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର ଗୌରବ କର, ଥାନା ଅଧିକାରୀ ଧୀରେଶ ଦାଶ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ସମାଜସେବୀ ଶୁଳପାଣି ଶତପଥି ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଏହି ଜାତୀୟଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପ୍ରାତଃ ୫ ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପ୍ରଚାର, ସ୍ଥାନୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ, ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ତନରଡା ବୃଦ୍ଧାଶ୍ରାମରେ ମୁଖ୍ୟ ଅତିଥିଙ୍କ ଦ୍ୱରା ବୃଦ୍ଧବୃଦ୍ଧାଙ୍କୁ ବସ୍ତ୍ର ପ୍ରଦାନ କରାଯଇଥିଲା, ପରିଶେଷରେ “ଆଇନା” ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା ଓ ପରିଚାଳନା କରିଥିଲେ । ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ଏବଂ ତାରିଣୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.