ଗାଈଖାଇ ଇକୋ ଟୁରିଜମରେ ସ୍ୱଚ୍ଛତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଗାଈଖାଇ ଇକୋ ଟୁରିଜମରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାକୁ ଲାଗିଛି । ମାତ୍ର ସଚେତନତା ଅଭାବରୁ ବଣଭୋଜି କରିବାକୁ ଆସୁଥିବା ଲୋକେ ବିଭିନ୍ନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ଓ କାଚ ବୋତଲ ଏଣେ ତେଣେ ଫିଙ୍ଗୁଛନ୍ତି । ଫଳରେ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ପରିବେଶ ପ୍ରେମୀମାନେ ପ୍ରତିଦିନ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ପର୍ଯ୍ୟାବରଣ ଚେତନା ମଞ୍ଚର ଆବାହକ ମୃତ୍ୟୁଞ୍ଜୟ ସାହୁ ନିଜେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ବଣଭୋଜି କରୁଥିବା ତଥା ବୋଟିଂ କରୁଥିବା ପର୍ଯ୍ୟଟକ ଓ ଦୋକାନୀମାନଙ୍କୁ ସଚେତନ କରି ଏଣେତେଣେ କିଛି ନ ଫିଙ୍ଗିବାକୁ ଅନୁରୋଧ କରିଥିଲେ । ମଞ୍ଚର ସଂଯୋଜକ ସ୍ଥାନୀୟ ଯୁବ ଉଦ୍ୟମୀ କୂଳଦୀପ ପଣ୍ଡା ଏଥିରେ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସେତେବେଳର ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଗାଇଖାଈ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଏକ ଶିଶୁ ଉଦ୍ୟାନ ଓ ବୋଟିଂ ପ୍ରକଳ୍ପକୁ ପୂର୍ବ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଶିଳାନ୍ୟାସ କରିଥିଲେ । ଏହି ମନୋରମ ପ୍ରକଳ୍ପ ଉପରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.