ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂଆ ଜନନୀ ଏକ୍ସପ୍ରେସ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ ଯୋଇଯାଇଛି । ଏଭ୍ରି ଗ୍ରୀନ ହେଲଥ ସର୍ଭିସ ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ରାୟଗଡା ଜିଲ୍ଲା କାଶୀପୁର ଭଳି ଏକ ଅନୁନ୍ନତ ଅପହଞ୍ଚ ତଥା ଦୁର୍ଗମ ବ୍ଲକ ଭାବେ ସମଗ୍ର ରାଜ୍ୟରେ ପରିଚିତ କାଶୀପୁର ଅଞ୍ଚଳବାସୀଙ୍କ ପାଇଁ ୬ ବର୍ଷ ପରେ ଏକ ନୂତନ ଜନନୀ ଏକ୍ସପ୍ରେସ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରିଯାଇଛି । ସୂଚନାଯୋଗ୍ୟ ଯେ, କାଶୀପୁର ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଶୁଙ୍ଗେର, ମାଣ୍ଡିବିଶି, ଗୋରଖପୁର, ଟିକିରି ଓ ଡ଼ଙ୍ଗାସିଲ ଭଳି ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଛି । କାଶୀପୁର ବ୍ଲକ ଅନୁନ୍ନତ ବ୍ଲକ ହୋଇଥିବା ସତ୍ୱେ ଏକ ମାତ୍ର ଜନନୀ ଏକ୍ସପ୍ରେସ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ପୂର୍ବେ ଉକ୍ତ ସଂସ୍ଥା ତରଫରୁ ଦିଆଯାଇଥିଲା । ଏହି ଗାଡି ବ୍ଲକର ୨୪ଟି ପଞ୍ଚାୟତ ଲୋକଙ୍କ ପାଇଁ ଏକ ମାତ୍ର ଭରସା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା । ଅନେକ ସମୟରେ ପ୍ରସବ ପୀଡ଼ିତାଙ୍କ ପାଇଁ ନାହିଁ ନଥିବା ଅସୁବିଧା ହେଉଥିଲେ ସୁଦ୍ଧା ଏକ ମାତ୍ର ଗାଡି ଥିବା ବେଳେ ଠିକ ସମୟରେ ରୋଗୀସେବା ଯୋଗାଇ ଦେବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲା । ଆଜି ପର୍ଯ୍ୟନ୍ତ ଉପଯୋଗୀ ସଡକ ନାହିଁ, କେଉଁ ଅଞ୍ଚଳରେ ନଦୀ, ନାଳନର୍ଦ୍ଦମାର ବାଧକ ତ ଅନେକ ସ୍ଥାନରେ ପାହାଡ ପର୍ବତ ଦେଇ ଆବଡା ଖବଡ଼ା ରାସ୍ତାରେ ମଧ୍ୟ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଏବଂ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରମାନେ ନିଷ୍ଠାପର ଭାବେ ଅଞ୍ଚଳରେ ନିଜ କର୍ତ୍ତବ୍ୟ ପ୍ରତିପାଦନ କରି ଜିଲ୍ଲାରେ ପ୍ରଶଂସା ପାଇଛନ୍ତି । ବର୍ତ୍ତମାନ ପୁଣି ଏଭ୍ରି ଗ୍ରୀନ ହେଲଥ ସର୍ଭିସଙ୍କ ତରଫରୁ କାଶୀପୁର ବ୍ଲକ ପାଇଁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଜନନୀ ଏକ୍ସପ୍ରେସ ଯୋଗାଇ ଦେଇଥିବା ହେତୁ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଏହି ଜନନୀ ଏକ୍ସପ୍ରେସ ଗାଡିର ଶୁଭ ଉଦ୍ଘାଟନ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ନେତ୍ରାନନ୍ଦ ନାୟକ, ଜିଲ୍ଲା ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନ୍ସ ସେବା ଦାୟିତ୍ୱରେ ଥିବା ଅଧିକାରୀ ଶୁଭ୍ରାଂଶୁ ସେନାପତି, ବିପିଏମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାଶୀପୁର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ ଡ୍ରାଇଭରମାନେ ଉପସ୍ଥିତ ଥିଲେ ।
Prev Post