
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା ନାମକ ଏହି ନୂତନ ଯୋଜନାର ଶୁଭାରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦ୍ୱାରା କଳାହାଣ୍ଡିରୁ ଆଭାସି ମାଧ୍ୟମରେ ଏହି ଯୋଜନାର ଉଦଘାଟନ ସିଧା ପ୍ରସାରଣ କରାଯାଇଥିଲା । ବିଧାୟକ ଆଶ୍ରିତ ପଟ୍ଟନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ ସହ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ବିଡ଼ିଓ କ୍ଷିତିଶ ବେହେରା, ଆସିଷ୍ଟାଣ୍ଟ ଏଜୁକେଟିଭ ଇଞ୍ଜିନିଅର ସୁବ୍ରତ କୁମାର ବାରିକ ସମେତ ବ୍ଲକର ସମସ୍ତ କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟା, ହିତାଧିକାରୀ ମାନେ ପ୍ରମୁଖ ଯୋଗଦେଇଥିଲେ । ଆଜି ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଡେଲାଙ୍ଗ ବ୍ଲକର ସିଙ୍ଗବ୍ରହ୍ମପୁର ପଞ୍ଚାୟତ ବ୍ୟତୀତ ଅନ୍ୟ ୨୦ଟି ଗ୍ରାମ ପଞ୍ଚାୟତର ୧୪୧ ଜଣ ହିତାଧିକାରୀଙ୍କୁ ଘର ପାଇଁ ବିଧାୟକ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ । ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ । ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ ।କେବଳ ସେତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯୦ରୁ ୯୫ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବରେ ପାରିଶ୍ରମିକ ସହ କାମ ଯୋଗାଇ ଦିଆଯିବ । ଏହି ଯୋଜନାରେ ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଉପକୃତ ହେବେ । ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ । ଏହା ସହିତ କର୍କଟ, କୁଷ୍ଠ, କିଡ଼ନୀ ରୋଗ, ଲିଭର ସିରୋସିସ, ଥାଲାସେମିଆ ଅଥବା ଐଓଠ ପରି ଦୁରାବ୍ୟାଧିରେ ପୀଡ଼ିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବ । ଏଥିସହିତ ବିଧାୟକ ଆଶ୍ରିତ ପଟ୍ଟନାୟକ କହିଲେ ଆମ ସରକାର ହେଉଛି ଲୋକଙ୍କ ସରକାର । ଅନ୍ତ୍ୟୋଦୟ ଗୃହ ଯୋଜନା ହେଉ, କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଆମର କୌଣସି ଥିରେ ପାତର ଅନ୍ତର ରହିବ ନାହିଁ, କିମ୍ବା କୌଣସି ବ୍ୟତିକ୍ରମ ଘଟିବ ନାହିଁ । ଗ୍ରାମାଞ୍ଚଳବାସୀଙ୍କ ଯାହା ବି ମୌଳିକ ଆବଶ୍ୟକତା ରହିଛି, ତାହା ନିଶ୍ଚୟ ପୂରଣ ହେବ । ଗରିବ ଲୋକଙ୍କ ପ୍ରତି ଅବହେଳା କଲେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ବିଡ଼ିଓ କ୍ଷିତିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।